CORONAVIRUS UPDATE: ନୂଆ ୩ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା, ଅଛନ୍ତି ୨ ପୁରୁଷ, ଜଣେ ଯୁବତୀ

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା ୩ ନୂଆ କରୋନା ପଜିଟିଭ୍‌ଙ୍କ ତଥ୍ୟ ମିଳିଛି। ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆକ୍ରାନ୍ତମାନେ ପଶ୍ଚିମବଙ୍ଗ ଫେରନ୍ତା। ସେମାନଙ୍କ ମଧ୍ୟରେ ୨ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି। କେନ୍ଦୁଝର ଆକ୍ରାନ୍ତଙ୍କ ବୟସ ୬୦ ବର୍ଷ ହୋଇଥିବା ବେଳେ ସେ ପଞ୍ଚପଲ୍ଲୀ ଅଞ୍ଚଳର। ସେହିଭଳି ଦେଓଗଡ଼ ଜିଲାର ଆକ୍ରାନ୍ତ ୩୪ ବର୍ଷୀୟ ପୁରୁଷ ହୋଇଥିବା ବେଳେ ସେ ବାସୁଦେବପୁର ଅଞ୍ଚଳର। ସେହିଭଳି ଝାରସୁଗୁଡ଼ା ଆକ୍ରାନ୍ତ ହେଉଛନ୍ତି ୧୮ ବର୍ଷୀୟ ଯୁବତୀ ଏବଂ ସେ ବ୍ରଜରାଜନଗରର। ସମସ୍ତଙ୍କ ନିକଟରେ ଲକ୍ଷଣ ନ ଥିବା ବେଳେ ସେମାନେ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ନମୂନା ପରୀକ୍ଷା ପରେ ତାଙ୍କର ପଜିଟିଭ୍‌ ଆସିବା ଜଣାପଡ଼ିଛି।

ପ୍ରକାଶ ଯେ,ଆଜି ସୁଦ୍ଧା ରାଜ୍ୟରେ ୨୯୧୦୮ଟି ନମୂନା ପରୀକ୍ଷଣ କରାଯାଇଛି। ସେଥିରୁ ୧୨୨ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୮୩ ଆକ୍ଟିଭ କେସ୍‌ ରହିଛି। ସେହିଭଳି ୩୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ପୂର୍ବରୁ ବାଲେଶ୍ୱର, ଭଦ୍ରକ, କଟକ, ଢ଼େଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦାପଡ଼ା, ଖୋର୍ଦ୍ଧା, କୋରାପୁଟ, ପୁରୀ, ସୁନ୍ଦରଗଡ଼ା ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏବେ ପୁଣି ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର ଏହି ତାଲିକାରେ ସାମିଲ ହୋଇଛନ୍ତି।

Share