ନୂଆ ଟ୍ରେଣ୍ଡ୍‌ରେ ଟେରାକୋଟା ଜୁଏଲେରି

ନାରୀ ମାନଙ୍କ ମଧ୍ୟରେ ଜୁଏଲେରିର ଚାହିଦା ସବୁବେଳେ ସବୁ ସମୟରେ ରହିଆସିଛି। ତେଣିକି ସେ ସୁନା, ରୁପା, ହୀରା, ମୋତି, ମାଣିକ୍ୟରେ ତିଆରି ଜୁଏଲେରି ହେଉ ଅବା କୌଣସି ଆର୍ଟିଫିସିଆଲ୍‌ ଜୁଏଲେରି। ତେବେ ବର୍ତ୍ତମାନ ସମୟରେ ଟେରାକୋଟା ଜୁଏଲେରି ଏକ ନୂଆ ଟ୍ରେଣ୍ଡ୍‌ ଭାବେ ଉଭା ହୋଇଛି। ଏକ୍ସପର୍ଟଙ୍କ ମତରେ ଏହା ଏକପ୍ରକାର ମାଟିରେ ତିଆରି ହ୍ୟାଣ୍ଡମେଡ୍‌ ଜୁଏଲେରି। ଦିନ ଥିଲା, ଏହି ଜୁଏଲେରିରେ କେବଳ ଦେବଦେବୀ ତଥା ରାଜା ମହାରାଜାମାନଙ୍କର ପ୍ରତିଛବି ହିଁ ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ନାନାଦି ରଙ୍ଗର ପଶୁପକ୍ଷୀ, ଫୁଲ, କାର୍ଟୁନ ତଥା ବିଭିନ୍ନ ଜ୍ୟାମିତିକ ଡିଜାଇନ୍‌ର ମଡର୍ନ ଟେରାକୋଟା ଜୁଏଲେରି ମାର୍କେଟ୍‌ରେ ଉପଲବ୍ଧ ହେଲାଣି। ଫଳରେ ଯୁବତୀମାନଙ୍କ ଗହଣରେ ଏହାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି।

 

କେମିତି ତିଆରି ହୁଏ ଏହି ଜୁଏଲେରି
ଏକ୍ସପର୍ଟଙ୍କ ମତରେ, ଟେରାକୋଟା ଜୁଏଲେରିରେ ଏକପ୍ରକାର ଚିକଣିଆ ମାଟି ବ୍ୟବହାର କରାଯାଇଥାଏ। ଏହି ମାଟିକୁ ଅଟା ଚକଟିଲା ଭଳି ପ୍ରଥମେ ଭଲ ଭାବେ ଚକଟାଯାଇ ତା’ପରେ ଏହାକୁ ବିଭିନ୍ନ ପ୍ରକାର ଜୁଏଲେରି ଶେପ୍‌ରେ ତିଆରି କରାଯାଇଥାଏ। ଏହାପରେ ଏହାକୁ ଖରାରେ ଶୁଖାଯାଏ। ଭଲଭାବେ ଶୁଖିଗଲା ପରେ ଆବଶ୍ୟକ ଅନୁଯାୟୀ ବିଭିନ୍ନ ପ୍ରକାର ମେଟାଲ୍‌, ସିଲ୍କ କପଡ଼ା ଆଉ ରଙ୍ଗର ବ୍ୟବହାର କରି ବେଶ୍‌ ଆକର୍ଷଣୀୟ ଭାବେ ଏହି ଜୁଏଲେରି ତିଆରି କରାଯାଇଥାଏ। ତେଣୁ ଏହାକୁ ତିଆରି କରିବା ପାଇଁ ସମୟ ଟିକେ ଅଧିକ ଲାଗିଥାଏ।

ଏହାର କ’ଣ ସବୁ ଡିଜାଇନ୍ସ ରହିଛି
ସାଧାରଣତଃ ଟେରାକୋଟାର ଇୟର ରିଂ, ଝୁମୁକା, ପେଣ୍ଡେଣ୍ଟ, ମୁଦି, ବ୍ରେସ୍‌ଲେଟ୍‌, ଚୁଡି ତଥା ନେକ୍‌ଲେସ୍‌ ଇତ୍ୟାଦି ଦେଖିବାକୁ ଯେମିତି ଆକର୍ଷଣୀୟ ଲାଗେ, ପିନ୍ଧିଲେ ସେମିତି ମଡର୍ନ ଲୁକ୍‌ ମିଳିଥାଏ। ଖାସ୍‌ କରି ଏହି ଜୁଏଲେରି ସବୁକୁ ଅନାରକଲି କୁର୍ତ୍ତା, ଶାଢ଼ି କିମ୍ବା ଲେହେଙ୍ଗା ସହିତ ମ୍ୟାଚିଂ କରି ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗେ। ସେହିପରି ଯଦି କେହି ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ ଏହି ଜୁଏଲେରିକୁ ଟ୍ରାଏ କରିବାକୁ ଚାହୁଁଥାନ୍ତି, ତା’ହେଲେ ଏଥିପାଇଁ ସିମ୍ପଲ୍‌ ଡିଜାଇନ୍‌ବାଲା ଟେରାକୋଟା ଜୁଏଲେରି ଚୟନ କରିବା ଠିକ୍‌ ହେବ। ସେହିପରି ଏହି ଜୁଏଲେରିକୁ ଯେକୌଣସି ସ୍କିନ୍‌ ଟାଇପ୍‌ର ଯୁବତୀ ବା ନାରୀ ଆରାମରେ ପିନ୍ଧିପାରିବେ। କାରଣ ଏହି ଜୁଏଲେରିକୁ ପିନ୍ଧିଲେ ସ୍କିନ୍‌ରେ ଆଲର୍ଜି ହେବାର ସମ୍ଭାବନା ସେତେ ବେଶୀ ନ ଥାଏ।

କେମିତି ନେବେ ଏହି ଜୁଏଲେରିର ଯତ୍ନ
ଏହି ଜୁଏଲେରିକୁ ଖୁବ୍‌ ସାବଧାନତାର ସହ ଯତ୍ନ ନେବାକୁ ହୋଇଥାଏ। କାରଣ ଅଜାଣତରେ ଏହା କେଉଁଠି ମାଡ଼ ହୋଇଗଲେ କିମ୍ବା ପଡ଼ିଗଲେ ଜୁଏଲେରି ଭାଙ୍ଗିଯିବାର ସମ୍ଭାବନା ଥାଏ। ସେହିପରି ପାଣି ସଂସ୍ପର୍ଶରେ ଏହି ଜୁଏଲେରିକୁ ଯେତେ କମ୍‌ ଆଣିବେ, ଏହା ସେତେ ଅଧିକ ଦିନ ଲାଷ୍ଟିଂ କରିପାରିବ।