ନୂଆ ନିୟମ ଲାଗୁ ପରେ ତତ୍ପରତା: ୧୧ ଦିନରେ ୪୩୦୨ ଲାଇସେନ୍ସ ଆବେଦନ

ଢେଙ୍କାନାଳ ଅଫିସ, ୧୩ା୯-ସଂଶୋଧିତ ମୋଟରଯାନ ନିୟମ ଲାଗୁ ହେବା ପରେ ଲାଇସେନ୍ସ ଆବେଦନ ପାଇଁ ଢେଙ୍କାନାଳ ଜିଲାରେ ବେଶ୍‌ ତପତ୍ରତା ପ୍ରକାଶ ପାଇଛି। ଜିଲା ସଦର ମହକୁମାରେ ଥିବା ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ)ଙ୍କ କାର୍ଯ୍ୟାଳୟରେ ଅସମ୍ଭାଳ ଭିଡ଼ ହେଉଛି। ୧୧ଦିନ ମଧ୍ୟରେ ୪୩୦୨ ଗାଡ଼ି ଚାଳକ ଲର୍ନିଂ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୭୮୦ ଜଣଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି।
ପ୍ରତି ମାସରେ ହାରାହାରି ୪୫୦ ଲାଇସେନ୍ସ ପାଇଁ ଆବେଦନ ହେଉଥିଲା। ହେଲେ ନିୟମ ଲାଗୁ ହେବାର ୧୧ ଦିନ ଭିତରେ ୪୩୦୨ ଜଣ ଆବେଦନ କରିବା ଚର୍ଚ୍ଚାର ବିଷୟ ହୋଇଛି।
ସେହିପରି ମଦ୍ୟପ ଗାଡ଼ି ଚାଳକଙ୍କୁ ଧରିବାକୁ ଆର୍‌ଟିଓ କାର୍ଯ୍ୟାଳୟ ପକ୍ଷରୁ

ଉଦ୍ୟମ ଆରମ୍ଭ ହୋଇଛି। ଅଗଷ୍ଟରେ ୧୩ଜଣ ମଦ୍ୟପ ଗାଡ଼ି ଚଳାଉଥିବାବେଳେ ଧରାପଡ଼ିଛନ୍ତି। ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି। ଏହି ସଂଖ୍ୟା ଜୁଲାଇରେ ୧୧ ଥିଲା।
ଅନ୍ୟପଟେ ଏବେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦଲାଲଙ୍କ ପୁଷମାସ ଚାଲିଛି। ସେମାନେ ମନଇଚ୍ଛା ଗାଡ଼ି ଚାଳକଙ୍କୁ ଲୁଟୁଥିବା ଅଭିଯୋଗ ହେଉଛି।
ଲର୍ନିଂ ଲାଇସେନ୍ସ ପାଇଁ ସରକାରୀ ଭାବେ ୨୨୨ ଟଙ୍କା ଧାର୍ଯ୍ୟ କରାଯାଇଛି। ହେଲେ ଆବେଦନକାରୀଙ୍କଠାରୁ ଦଲାଲମାନେ ୨ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଛନ୍ତି, ଯାହାକୁ କାର୍ଯ୍ୟାଳୟର ଅଧିକାରୀ ମଧ୍ୟ ସ୍ବୀକାର କରିଛନ୍ତି। ଫଳରେ ଦୂରଦୂରାନ୍ତରୁ ଆସୁଥିବା ଲୋକମାନେ ଦଲାଲଙ୍କ କବଳରେ ପଡ଼ି ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଆବଶ୍ୟକ କର୍ମଚାରୀ ଅଭାବରୁ ଲୋକଙ୍କୁ ତ୍ୱରିତ ସେବା ମିଳୁନାହିଁ, ଯାହାକୁ ନେଇ ହିନସ୍ତା ହେଉଛନ୍ତି ଆବେଦନକାରୀ।
ଏ ସଂକ୍ରାନ୍ତରେ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ଦାୟିତ୍ୱରେ ଥିବା ମୋଟରଯାନ ନିରୀକ୍ଷକ ଶ୍ରୀବତ୍ସ ଦଳେଇ କୁହନ୍ତି, ସଂଶୋଧିତ ଆଇନ ଲାଗୁହେବା ପରେ ଲାଇସେନ୍ସ ଆବେଦନକାରୀଙ୍କ ସଂଖ୍ୟା ବଢ଼ିଛି। କେତେକ ଆବେଦନକାରୀ ଦଲାଲଙ୍କ କବଳରେ ପଡ଼ିଥିବା ନଜରକୁ ଆସିଛି। ଏ ନେଇ ତାଗିଦ୍‌ କରାଯାଇଛି। ଦଲାଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପଦକ୍ଷେପ ନିଆଯାଉଛି।