ନୂଆ ପିଆଜ ଆସିଲେ ଦର କମିବ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ଗତ ୨/୩ ମାସ ହେବ ପିଆଜର ଅହେତୁକ ଦର ବୃଦ୍ଧି ଲୋକମାନଙ୍କୁ ଅତିଷ୍ଠ କରି ରଖିଛି। ନୂଆ ଅମଳ ନ ଆସିବା ଯାଏ ରାଜ୍ୟରେ ପିଆଜ ଦର୍‌ କମିବା ଆଶା କ୍ଷୀଣ। ତେବେ ଆଉ ମାସେ ଏଭଳି ଦର୍‌ ବୃଦ୍ଧି କଷ୍ଟ ଭୋଗିବାକୁ ପଡ଼ିବ। ଆସନ୍ତା ଜାନୁୟାରୀ ମାସ ପ୍ରଥମ ସପ୍ତାହ ବେଳକୁ ନୂଆ ପିଆଜ ଆସିବାପରେ ଦର୍‌ କମିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ସୋମବାର ଲୋକସେବା ଭବନଠାରେ ଅନୁଷ୍ଠିତ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାର ପିଆଜ ଉତ୍ପାଦନ ବୃଦ୍ଧି ପାଇଁ ପ୍ରୋତ୍ସାହନ ଯୋଗାଇବା ସହ ଅଧିକ ଅଞ୍ଚଳରେ ଏହାର ଚାଷକୁ ପରିବ୍ୟାପ୍ତ କରିବା ଆବଶ୍ୟକ। ଗତବର୍ଷଠାରୁ ଚଳିତ ବର୍ଷ ୨୬ ପ୍ରତିଶତ କମ୍‌ ଅଞ୍ଚଳରେ ପିଆଜ ଚାଷ କରାଯାଇଛି। ଲଗାଣ ବର୍ଷା ଯୋଗୁ ପିଆଜ ଉତ୍ପାଦନରେ ବାଧା ସୃଷ୍ଟି ହୋଇଛି। ଏଥିଯୋଗୁ କେବଳ ରାଜ୍ୟରେ ନୁହେଁ ସମଗ୍ର ଦେଶରେ ପିଆଜ ଦର୍‌ ବହୁ ପରିମାଣ ବଢିଯାଇଛି। ଆଗରୁ ଯେଉଁ ଅଞ୍ଚଳରେ ୩ ମେଟ୍ରିକ ଟନ ଉତ୍ପାଦନ ହେଉଥିଲା ବେଳେ ବର୍ତ୍ତମାନ ୨୫ରୁ ୩୦ କୁଇଣ୍ଟାଲ ଉତ୍ପାଦନ ହେଉଛି। ଦେଶରେ ଦୈନିକ ୧୨ରୁ ୧୩ ଲକ୍ଷ ମେଟ୍ରିକ ଟନ ପିଆଜର ଆବଶ୍ୟକତା ଥିବାବେଳେ କେନ୍ଦ୍ର ସରକାର ଇଜିଷ୍ଟ ଓ ଅନ୍ୟ ଦେଶରୁ ମାତ୍ର ୧ ଲକ୍ଷ ମେଟ୍ରିକ ଟନ ପିଆଜ ଆମଦାନି କରିଛନ୍ତି। ଯାହାକି ସମୁଦ୍ରକୁ ଶଙ୍ଖେ । ଏହା ସ୍ଥାୟୀ ସମାଧାନ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ଦେଶରେ ଉତ୍ପାଦନ ହେଉଥିବା ନୂଆ ପିଆଜ ଚଳିତ ମାସ ଶେଷ ସପ୍ତାହ କିମ୍ବା ଜାନୁୟାରୀ ପ୍ରଥମ ସପ୍ତାହ ସୁଦ୍ଧା ବଜାରକୁ ଆସିବା ସମ୍ଭାବନା ରହିଛି। ଏହା ପରେ ଦର୍‌ ହ୍ରାସ ପାଇବ। ଆଗରୁ ରାଜ୍ୟକୁ ୫୦ ଟ୍ରକ ପିଆଜ ଆସୁଥିବାବେଳେ ଗତ କିଛିଦିନ ହେବ ଗୋଟିଏ କିମ୍ବା ଆଦୌ ପିଆଜ ଗାଡି ଆସୁ ନାହିଁ। ନୂଆ ପିଆଜ ଆସିଲା ପରେ ଦର୍‌ କମିବ ବୋଲି ମନ୍ତ୍ରୀ କହିଛନ୍ତି। କିଛିଦିନ ପୂର୍ବରୁ ମନ୍ତ୍ରୀ କହିଥିଲେ ଯେ ଦେଶରେ ଦେଖାଦେଇଥିବା ପିଆଜ ଅଭାବ ଏକ ଜାତୀୟ ବିପତ୍ତି।

Share