Categories: ଜାତୀୟ

ନୂଆ ଭାରତ ନିର୍ମାଣ ଲାଗି କର୍ତ୍ତବ୍ୟକୁ ଗୁରୁତ୍ୱ ଦିଅ

ନୂଆଦିଲ୍ଲୀ,୨୫ା୧(ପି.ଟି.): ଦେଶ ପାଇଁ କର୍ତ୍ତବ୍ୟ କରି ଉଦାହରଣ ସୃଷ୍ଟି କରିବା ସହ ନୂଆ ଭାରତ ନିର୍ମାଣ କାର୍ଯ୍ୟକୁ ଆଗେଇ ନେବାରେ ସହାୟକ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି। ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗନେବାକୁ ଥିବା ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଭୌଗୋଳିକ ଓ ସାମାଜିକ ବିଭିନ୍ନତା ଭାରତୀୟ ମହାନତାରେ ବିଶେଷତ୍ୱ। ତେଣୁ ଦେଶର କୌଣସି ବ୍ୟକ୍ତି ଓ ଅଞ୍ଚଳ ଯେପରି ପଛରେ ପଡ଼ି ନ ଯାଏ, ତାହା ଆମକୁ ସୁନିଶ୍ଚିତ କରିବାକୁ ହେବ। ଏହା ହେଉଛି ସାଧାରଣତନ୍ତ୍ର ଦିବସ ପରେଡ୍‌ ପଛର ଉଦ୍ଦେଶ୍ୟ। ବିଭିନ୍ନ ଚିନ୍ତାଧାରା ଓ ମୂଲ୍ୟବୋଧକୁ ନେଇ ଭାରତ ଏକ ଜୀବନଶକ୍ତି ବୋଲି ମୋଦି କହିଥିଲେ।
ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପାଇଥିବା ପିଲାମାନଙ୍କ ସହ ମୋଦି ଭାବ ବିନିମୟ କରିଥିଲେ। ସେ ପିଲାମାନଙ୍କ କାର୍ଯ୍ୟରେ ଅନୁପ୍ରାଣିତ ବୋଲି ମତ ରଖିଥିଲେ। ପିଲାମାନଙ୍କ ସାହସିକ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିବା ସହିତ ଶାରୀରିକ ଭାବେ ସକ୍ରିୟ ରହିବା ଲାଗି ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ। ନବପ୍ରବର୍ତ୍ତନ, ସାମାଜିକ ସେବା, ଶିକ୍ଷା, କ୍ରୀଡ଼ା, କଳା ଓ ସଂସ୍କୃତି ଏବଂ ସାହସିକତା କ୍ଷେତ୍ରରେ ଅବଦାନ ଓ ଉତ୍କର୍ଷତା ପାଇଁ ୪୯ ଜଣ ପିଲାମାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇଦିନ ପୂର୍ବେ ପ୍ରଧାନମନ୍ତ୍ରୀ ବାଲ୍‌ ପୁରସ୍କାର ପ୍ରଦାନ କରିଥିଲେ।

Share