ନୂଆ ମାନଚିତ୍ରକୁ ନେପାଳ ପାର୍ଲାମେଣ୍ଟର ଅନୁମୋଦନ

କାଠମାଣ୍ଡୁ/ନୂଆଦିଲ୍ଲୀ,୧୪ା୬: ନେପାଳ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନରେ ସମ୍ବିଧାନ ସଂଶୋଧନ ବିଲ୍‌କୁ ଅନୁମୋଦନ ମିଳିଛି। ଦେଶର ମାନଚିତ୍ରରେ ପରିବର୍ତ୍ତନ ଲାଗି ଶନିବାର ପାର୍ଲାମେଣ୍ଟରେ ସମ୍ବିଧାନ ସଂଶୋଧନ ବିଲ୍‌ ଅଣାଯାଇଥିଲା। ପୂର୍ବରୁ ନେପାଳ କ୍ୟାବିନେଟ ଅନୁମୋଦନ କରିଥିବା ନୂଆ ମାନଚିତ୍ରରେ ଭାରତର ୩ଟି ଅଞ୍ଚଳ ରହିଛି। ପଡୋଶୀ ଦେଶର ଏଭଳି କାର୍ଯ୍ୟକୁ ନୂଆଦିଲ୍ଲୀ ପକ୍ଷରୁ ବିରୋଧ କରାଯାଇଥିଲା। ଏହା ନେପାଳ ସରକାରଙ୍କ ଏକପାଖିଆ ନିଷ୍ପତ୍ତି ଏବଂ ଐତିହାସିକ ତଥ୍ୟ ଉପରେ ଆଧାରିତ ନୁହେଁ ବୋଲି ଭାରତ କହିଥିଲା।
ଶନିବାର ପାର୍ଲାମେଣ୍ଟରେ ସମ୍ବିଧାନ ସଂଶୋଧନ ବିଲ୍‌ ଉପରେ ଆଲୋଚନା ପରେ ଭୋଟ ନିଆଯାଇଥିଲା। ୨୭୫ ସଦସ୍ୟ ବିଶିଷ୍ଟ ଗୃହରେ ବିଲ୍‌ ସପକ୍ଷରେ ୨୫୮ ଭୋଟ ଯାଇଥିଲା। ଫଳରେ ଦୁଇତୃତୀୟାଂଶ ସଂଖ୍ୟାଗରିଷ୍ଠତାରେ ବିଲ୍‌ ଗୃହୀତ ହୋଇଛି। ଗତ ମାସରେ ନେପାଳ ଶାସକ ଦଳ ନୂଆ ମାନଚିତ୍ରକୁ ଅନୁମୋଦନ କରିବା ପରେ ଭାରତ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଭାରତର ବିରୋଧ ସତ୍ତ୍ୱେ ବିରୋଧୀ ଦଳ ନେପାଳୀ କଂଗ୍ରେସ ମଧ୍ୟ ସଂଶୋଧନ ସପକ୍ଷରେ ଭୋଟ ଦେଇଛି।

ଜନପ୍ରତିନିଧି ସଭାରେ ଗୃହୀତ ହୋଇଥିବା ବିଲ୍‌ ନ୍ୟାଶନାଲ ଆସେମ୍ବ୍ଲିରେ ଉପସ୍ଥାପନ କରାଯିବ। ଏହା ଉପରେ କୌଣସି ସଂଶୋଧନ କରିବାକୁ ଥିଲେ ନ୍ୟାଶନାଲ ଆସେମ୍ବ୍ଲି ଏଥିପାଇଁ ୭୨ ଘଣ୍ଟା ସମୟ ଦେବ। ନ୍ୟାଶନାଲ ଆସେମ୍ବ୍ଲିରେ ବିଲ୍‌ ପାସ୍‌ ହେବା ପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ଲାଗି ପଠାଯିବ। ଏହା ପରେ ବିଲ୍‌ ଆଇନରେ ପରିଣତ ହେବ।
ଗତ ମାସରେ ପ୍ରକାଶିତ ନେପାଳର ନୂଆ ମାନଚିତ୍ରରେ ଉତ୍ତରାଖଣ୍ଡର ଲିପୁଲେଖ ଗିରିପଥ, ଲିମ୍ପିୟାଧୁରା ଏବଂ କାଲାପାନିକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଭାରତୀୟ ଅଞ୍ଚଳ ଏବଂ ୧୯୬୨ ଚାଇନା ଯୁଦ୍ଧ ସମୟରୁ ଭାରତୀୟ ସେନା ଏହାକୁ ସୁରକ୍ଷା ଦେଇଆସୁଛି। ନେପାଳ ସରକାର ଏକପାଖିଆ ଭାବେ ମାନଚିତ୍ରରେ କରିଥିବା ପରିବର୍ତ୍ତନକୁ ଭାରତ ଗ୍ରହଣ କରିବ ନାହିଁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଗତ ମାସରେ କହିଥିଲେ। ନେପାଳ ସରକାର ଏଭଳି ଭୁଲ୍‌ ପଦକ୍ଷେପରୁ ଦୂରେଇ ରହିବା ସହ ଭାରତର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ସଂହତିକୁ ସମ୍ମାନ ଦିଅନ୍ତୁ ବୋଲି ଶ୍ରୀବାସ୍ତବ କହିଥିଲେ।
ସୂଚନାଯୋଗ୍ୟ, ନେପାଳ ପାର୍ଲାମେଣ୍ଟରେ ନୂଆ ମାନଚିତ୍ର ଉପରେ ଭୋଟଗ୍ରହଣ ପୂର୍ବରୁ ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍‌.ଏମ୍‌. ନରଓ୍ବଣେ କହିଥିଲେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ସବୁବେଳ ପାଇଁ ମଜଭୁତ ରହିଆସିଛି ଓ ଭବିଷ୍ୟତରେ ରହିବ। ଭୌଗୋଳିକ, ସାଂସ୍କୃତିକ, ଐତିହାସିକ, ଧର୍ମୀୟ ସମ୍ବନ୍ଧ ଦୃଷ୍ଟିରୁ ନେପାଳ ସହିତ ଭାରତର ଦୃଢ଼ ସମ୍ପର୍କ ରହିଛି। ଉଭୟ ଦେଶବାସୀଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ବେଶ୍‌ ନିବିଡ଼। ଭବିଷ୍ୟତରେ ମଧ୍ୟ ଏଭଳି ସମ୍ପର୍କ ବଜାୟ ରହିବ ବୋଲି ଜେନେରାଲ ନରଓ୍ବଣେ ଏକ ପାସିଂ ଆଉଟ ପରେଡ୍‌ରେ ଯୋଗଦେବା ଅବସରରେ ଖବରଦାତାମାନଙ୍କୁ କହିଥିଲେ।

Share