Categories: ଜାତୀୟ

ନୂଆ ମାନଚିତ୍ରରେ ପିଓକେର ୩ ଜିଲା

ନୂଆଦିଲ୍ଲୀ,୩ା୧୧(ପି.ଟି./ଆଇଏଏନ୍‌ଏସ୍‌): ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖକୁ ଦର୍ଶାଉଥିବା ଭାରତର ନୂଆ ମାନଚିତ୍ର ଶନିବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି। ନୂଆ ରାଜନୈତିକ ମାନଚିତ୍ରରେ ୨୮ ରାଜ୍ୟ ଓ ୯ କେନ୍ଦ୍ରଶାସିତ ଅଞ୍ଚଳ ରହିଛି। ଦୁଇଟି ଜିଲା କାର୍‌ଗିଲ ଓ ଲେହକୁ ନେଇ ଲଦାଖ କେନ୍ଦ୍ରଶାସିତ ଗଠିତ ହୋଇଥିଲାବେଳେ ଅନ୍ୟ ଜିଲାଗୁଡ଼ିକ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ରହିଥିବା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ନୂଆ ମ୍ୟାପ୍‌ରେ ଜମ୍ମୁ-କଶ୍ମୀର ରାଜ୍ୟର ସମସ୍ତ ଜିଲା ସମେତ ପାକ୍‌ ଅଧିକୃତ କଶ୍ମୀର (ପିଓକେ)ର ୩ ଜିଲା ମୁଜାଫରାବାଦ, ପୁଞ୍ଚ୍‌ ଓ ମିର୍‌ପୁର ରହିଛି। ଭାରତର ସର୍ଭେ ଜେନେରାଲଙ୍କ ଦ୍ୱାରା ଏହି ମାନଚିତ୍ର ପ୍ରସ୍ତୁତ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିବୃତିରେ କୁହାଯାଇଛି। ୧୯୪୭ରେ ଜମ୍ମୁ-କଶ୍ମୀର ଭାରତରେ ସାମିଲ ହେଲାବେଳେ ୧୪ଟି ଜିଲା ଥିଲା। ସେଗୁଡ଼ିକ ହେଲା କଠୁଆ, ଜମ୍ମୁ, ଉଧାମପୁର, ରେଆସି, ଅନନ୍ତନାଗ, ବାରମୁଲ୍ଲା, ପୁଞ୍ଚ୍‌, ମିର୍‌ପୁର, ମୁଜାଫରାବାଦ, ଲେହ ଓ ଲଦାଖ, ଗିଲ୍‌ଗିଟ, ଗିଲ୍‌ଗିଟ ଓ୍ବାଜରତ୍‌, ଚିଲାସ୍‌ ଏବଂ ଆଦିବାସୀ ଅଞ୍ଚଳ। ପରେ ରାଜ୍ୟ ସରକାର ଜିଲା ସଂଖ୍ୟା ୨୮କୁ ବୃଦ୍ଧି କରିଥିଲେ। ନୂଆ ଜିଲାଗୁଡିକ ହେଲେ କୁପ୍‌ଓ୍ବାଡ଼ା, ବଣ୍ଡିପୋରା, ଗନ୍ଦର୍ବାଲ୍‌, ଶ୍ରୀନଗର, ବଡ୍‌ଗାମ, ପୁଲଓ୍ବାମା, ଶୋପିଆନ, କୁଲଗାମ୍‌, ରାଜୌରୀ, ରାମ୍‌ବନ, ଦୋଦା, କିସ୍ତଓ୍ବାର, ସାମ୍ବା ଏବଂ କାର୍‌ଗିଲ। ଲେହ ଓ ଲଦାଖ ଜିଲାରୁ ଅଲଗା ହୋଇ କାର୍ଗିଲ ଜିଲା ଗଠନ ହୋଇଥିଲା।
ସରକାରଙ୍କ ପକ୍ଷରୁ ପ୍ରକାଶିତ ଗେଜେଟ ବିଜ୍ଞପ୍ତି ଅନୁଯାୟୀ ଲେହ ଜିଲାରେ ଗିଲ୍‌ଗିଟ, ଗିଲ୍‌ଗିଟ ଓ୍ବାଜରତ୍‌, ଚିଲାସ୍‌, ଆଦିବାସୀ ଅଞ୍ଚଳ ଏବଂ ଲେହ ରହିଛି। ଲଦାଖ ଜିଲାରେ ବର୍ତ୍ତମାନର କାର୍‌ଗିଲ ବ୍ୟତୀତ ଅନ୍ୟ ସମସ୍ତ ଅଞ୍ଚଳ ରହିଛି। ଏହାକୁ ଜମ୍ମୁ-କଶ୍ମୀର ପୁନର୍ଗଠନ (ଅସୁବିଧା ଦୂରୀକରଣ) ଦ୍ୱିତୀୟ ନିର୍ଦ୍ଦେଶନାମା, ୨୦୧୯ କୁହାଯାଉଛି। ପାର୍ଲାମେଣ୍ଟର ଅନୁମୋଦନ କ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଗଷ୍ଟରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ସହ ଜମ୍ମୁ-କଶ୍ମୀର ପୁନର୍ଗଠନ ଆଇନ, ୨୦୧୯ ଜାରି କରିଥିଲେ। ତଦନୁଯାୟୀ ଅକ୍ଟୋବର ୩୧ରେ ଜମ୍ମୁ-କଶ୍ମୀର ରାଜ୍ୟ ଦୁଇଭାଗ ହୋଇ ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖ ସୃଷ୍ଟି ହୋଇଥିଲା। ଦୁଇ ଆଇଏଏସ୍‌ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ ଓ ରାଧାକୃଷ୍ଣ ମାଥୁର ଯଥାକ୍ରମେ ଜମ୍ମୁ-କଶ୍ମୀର ଓ ଲଦାଖର ଉପରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

Share