ନୂଆ ମୋଟର ଯାନ ଆଇନ: କୋହଳ ଅବଧି ଆଉ ମାସେ

ଭୁବନେଶ୍ୱର, ୨୯ା୧୦(ବ୍ୟୁରୋ):ନୂଆ ମୋଟର ଆଇନ ଲାଗୁ ହେବା ପରେ କଡାକଡି ଯାଞ୍ଚ କରାଯାଇ ମୋଟାଅଙ୍କର ଜରିମାନା ଆଦାୟ ହୋଇଥିଲା। ଲୋକଙ୍କୁ ଗାଡ଼ି କାଗଜପତ୍ର କରିବାକୁ ସମୟ ଦିଆ ନ ଯାଇ ହଠାତ୍‌ ଏଭଳି ଜରିମାନା ଆଦାୟକୁ ନେଇ ଚାରିଆଡ଼େ ତୀବ୍ର ବିରୋଧ ହେବା ପରେ ସରକାର ସେପ୍ଟେମ୍ବର ୯ରୁ ୩ମାସ ପାଇଁ କୋହଳ ଘୋଷଣା କରିଥିଲେ। ଇତିମଧ୍ୟରେ ୨ମାସ ସରିବାକୁ ବସିଥିବାବେଳେ ଲୋକଙ୍କ ହାତରେ ଆଉମାତ୍ର ମାସଟିଏ ବାକି ରହିଛି। ସମୟ ପାଖେଇ ଆସୁଥିବାରୁ ଲୋକଙ୍କ ମଧ୍ୟରେ ଧୀରେ ଧୀରେ ଛନକା ପଶିବାରେ ଲାଗିଛି। ଏହାକୁ ନେଇ ଏବେଠୁ ଆରମ୍ଭ ହେଲାଣି ଚର୍ଚ୍ଚା।
ମିଳିଥିବା ସୂଚନାନୁସାରେ, ସେପ୍ଟେମ୍ବର ପହିଲାରୁ ଏପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଆରଟିଓ-୧ରେ ୬୧ ହଜାର ୪୪୫ ଲୋକ ଆବେଦନ କରିଛନ୍ତି। ୧୩ ହଜାର ୩୧୫ ଜଣ ଡ୍ରାଇଭିଂ ଲାଇସେନ୍ସ ନେଇଥିବାବେଳେ ୪୮ ହଜାର ୧୦୪ ଜଣ ଲର୍ନିଂ ଲାଇସେନ୍ସ ନେଇଛନ୍ତି। ସେହିଭଳି ଆର୍‌ଟିଓ-୨ରେ ସେପ୍ଟେମ୍ବରରେ ୧୦ହଜାର ୭୫୫ ଜଣ ଓ ଅକ୍ଟୋବରରେ ୫ ହଜାର ୨୬ ଜଣ ଲର୍ନିଂ ଡ୍ରାଇଭିଂ ଲାଇସେନ୍ସ ନେଇଥିବା ସୂଚନା ମିଳିଛି। ଏହାସହ ୪୧୦୫ଜଣଙ୍କ ଆବେଦନ ଅମୀମାଂସିତ ରହିଛି।

Share