ନୂଆ ମୋଟର ଯାନ ଆଇନ ଲାଗୁ ପରେ ବଢୁଛି ଜାଲିଆତି

ଭୁବନେଶ୍ୱର,୯ା୯(ବ୍ୟୁରୋ) : ନୂଆ ମୋଟର ଯାନ ଆଇନ-୨୦୧୯ ସେପ୍ଟେମ୍ବର ପହିଲାରୁ ଲାଗୁହେବା ପରେ ପୋଲିସ୍‌ ଏବଂ ଆରଟିଓ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଯେଉଁମାନଙ୍କର ଡ୍ରାଇଭିଂ ଲାଇସେନ୍ସ, ଗାଡ଼ିର ଫିଟ୍‌ନେସ୍‌, ପଲ୍ୟୁଶନ୍‌ ସାର୍ଟିଫିକେଟ, ପର୍‌ମିଟ୍‌ ଏବଂ ଇନ୍ସୁରାନ୍ସ ନାହିଁ ସେମାନଙ୍କୁ ମୋଟା ରକମର ଜରିମାନା ଆଦାୟ କରାଯାଉଛି। ଆଚାର୍ଯ୍ୟବିହାର ଛକରେ ଜଣେ ଅଟୋ ଚାଳକଙ୍କଠାରୁ ଆରଟିଓଙ୍କ ପକ୍ଷରୁ ୫ ନିୟମ ଉଲ୍ଲଂଘନ ପାଇଁ ୪୭ ହଜାର ୫ଶହ ଟଙ୍କା ଜରିମାନା କରାଯାଇଥିଲା। ଏହାସହ ବାଣୀବିହାର ଓଭରବ୍ରିଜ ଉପରେ ୧୫ ହଜାର ଓ ନାଲକୋ ଛକରେ ବିଏମ୍‌ସି ଗାଡ଼ିକୁ ୧୭ ହଜାର ଟଙ୍କା ଜରିମାନା ହୋଇଥିଲା। ଏଭଳି ଯାଞ୍ଚକୁ ଦେଖି ଅନେକ ଗାଡ଼ିଚାଳକ ଛାନିଆ ହୋଇଯାଇଛନ୍ତି। ଅବଶ୍ୟ ଲୋକଙ୍କ ପ୍ରବଳ ଅସନ୍ତୋଷକୁ ଦେଖି ଯାଞ୍ଚ ଓ ଜରିମାନା ଆଦାୟରେ ରବିବାରଠାରୁ କୋହଳ କରାଯାଇଛି। କିନ୍ତୁ ସାରା ରାଜ୍ୟରେ ରାସ୍ତାରେ ଗାଡ଼ି ଚଳାଇବାକୁ ଲୋକଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି। ବିଶେଷ କରି ଯେଉଁମାନଙ୍କର ଗାଡ଼ିର କାଗଜପତ୍ରର ଅବଧି ଶେଷ ହୋଇଯାଇଛି ସେମାନେ ଏବେ ଚିନ୍ତାରେ ଅଛନ୍ତି। ଯାଞ୍ଚବେଳେ ସେମାନେ କ’ଣ କାଗଜପତ୍ର ଦେଖାଇବେ ତାହା ସେମାନଙ୍କୁ ଘାରୁଛି। ଆରଟିଓ ଅଫିସ ଯାଇ ଲାଇନ୍‌ରେ ଛିଡ଼ା ହେଲେ ମଧ୍ୟ ହଠାତ୍‌ ପ୍ରମାଣପତ୍ର ମିଳିବା ସମ୍ଭବ ନୁହେଁ। ତେଣୁ ସେମାନଙ୍କ ମଧ୍ୟରୁ ଅନେକ ଏବେ ଗଳାବାଟ ବାଛିଛନ୍ତି। ତାହା ହେଉଛି ଜାଲ୍‌ କାଗଜପତ୍ର।
ଭୁବନେଶ୍ୱରର ଏକାଧିକ କମ୍ପ୍ୟୁଟର ସେଣ୍ଟରରେ ଏଭଳି ଜାଲ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି। ଏହି ଜାଲ ସାର୍ଟିଫିକେଟ ପ୍ରସ୍ତୁତି ପାଇଁ ପ୍ରାୟ ୨ ହଜାର ଟଙ୍କା ପର୍ଯ୍ୟନ୍ତ ନେଉଥିବା ଦେଖିବାକୁ ମିଳୁଛି। ଚିହ୍ନାଜଣାଙ୍କୁ କମ୍‌ ଏବଂ ଅନ୍ୟମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ନିଆଯାଉଛି। ଲୋକେ ଥରେ ଅଧିକ ପଇସା ଦେଇ ଝିଞ୍ଜଟ ଗଲା ବୋଲି ଭାବିନେଉଛନ୍ତି। ବିଶେଷ କରି ରବିଟକିଜ୍‌, କଳ୍ପନା, ବରମୁଣ୍ଡା, ଶହୀଦନଗର, ବାପୁଜୀନଗର, ୟୁନିଟ୍‌-୪ ଆଦି ସ୍ଥାନରେ ଏଭଳି ଜାଲ୍‌ କାଗଜପତ୍ର ପ୍ରସ୍ତୁତି ଜୋରସୋରରେ ଚାଲିଛି। ସରକାରୀ ରେକର୍ଡ କିମ୍ବା ଓ୍ବେବ୍‌ସାଇଟ୍‌ ବିନା ଉକ୍ତ କାଗଜପତ୍ରକୁ ଜାଲ୍‌ ବୋଲି କେହି ଜାଣିପାରିବେ ନାହିଁ।
ରବିବାର ଜଣେ ବ୍ୟକ୍ତି ରବିଟକିଜ ଛକ ନିକଟ ଏକ କମ୍ପ୍ୟୁଟର ସେଣ୍ଟରକୁ ଯାଇ ଜାଲ କାଗଜପତ୍ର ପ୍ରସ୍ତୁତ କରିବାକୁ କହିଥିଲେ। କିନ୍ତୁ ପ୍ରଥମେ ତାଙ୍କୁ ମନା କରାଯାଇଥିଲା। ସେ ଫେରି ଆସୁଥିବାବେଳେ ଉକ୍ତ ସେଣ୍ଟର ମାଲିକ ତାଙ୍କୁ ଡାକି ୧ ହଜାର ଟଙ୍କା ଦେଲେ କହିବା ମୁତାବକ କାଗଜପତ୍ର ପ୍ରସ୍ତୁତ କରିଦେବେ ବୋଲି କହିଥିଲେ। ହେଲେ ଏତେ ଟଙ୍କା ଆଣି ନ ଥିବା କହି ବ୍ୟକ୍ତି ଜଣକ ସେଠାରୁ ଫେରି ଆସିଥିଲେ। କିନ୍ତୁ ଆଉ ଜଣେ ବ୍ୟକ୍ତି ସେଠାରୁ ଗାଡ଼ିର କାଗଜପତ୍ର ନକଲି କରି ନେଇଥିଲେ। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ, ଏନେଇ ଆମ ନିକଟରେ କୌଣସି ସୂଚନା ନାହିଁ। ଏଭଳି ହେଉଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।