ନୂଆ ମୋଟର ଯାନ ଆଇନ-୨୦୧୯: ଆଉ ୬ଦିନ, କଡ଼ାକଡ଼ି ଯାଞ୍ଚ ପାଇଁ ପ୍ରସ୍ତୁତି ଜୋର୍‌ଦାର

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ରାଜ୍ୟ ସରକାର ଦେଇଥିବା ୩ମାସର ମହଲତ ସରିବାକୁ ଆଉ ମାତ୍ର ୬ ଦିନ ବାକି। ଡିସେମ୍ବର ୧ରୁ ନୂଆ ମୋଟର ଯାନ ଆଇନକୁ କଡ଼ାକଡ଼ି କରିବା ପାଇଁ ଆର୍‌ଟିଓ ଏବଂ ପୋଲିସ ପ୍ରସ୍ତୁତିକୁ ଜୋର୍‌ଦାର କରିଛି। ଏଣିକି ଆଉ କୌଣସି ବି ସୁଯୋଗ ଦିଆଯିବ ନାହିଁ ଓ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ୧୦ଗୁଣା ଜରିମାନା ଗଣିବାକୁ ପଡ଼ିବ। ସମୟ ପାଖେଇ ଆସୁଥିବାରୁ କାଗଜପତ୍ର ଠିକ୍‌ କରିପାରି ନ ଥିବା ଲୋକଙ୍କ ମନରେ ଛନକା ପଶିଛି। କଣ୍ଟ ଶେଷ ହୋଇ ଆସୁଥିବାରୁ ଏବେ ଆର୍‌ଟିଓ ଅଫିସରେ ପୂର୍ବଭଳି ଲୋକଙ୍କ ଗହଳି ଚହଳି ଦେଖିବାକୁ ମିଳୁଛି। ଲୋକେ ଆର୍‌ଟିଓ ଅଫିସ ସମ୍ମୁଖ ଓ ନିକଟ ରାସ୍ତାରେ ଗାଡ଼ି ରଖୁଥିବାରୁ ଟ୍ରାଫିକ ସମସ୍ୟା ବଢ଼ୁଛି।
ମିଳିଥିବା ସୂଚନାନୁସାରେ, ନୂଆ ଆଇନ ଲାଗୁ ହେବା ପରେ ପ୍ରଥମେ ଆର୍‌ଟିଓ ଅଫିସରେ ପ୍ରତିଦିନ ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ଲୋକ ଲର୍ନିଂ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିଲେ। କୋହଳ ହେବାର ଦେଢ ମାସ ପର୍ଯ୍ୟନ୍ତ ସେଭଳି ଭିଡ଼ ଲାଗି ରହିଥିଲା। ଏହା ପରେ କିଛିଦିନ ସେଭଳି ଗହଳି ନ ଥିବାବେଳେ ଶେଷ ସମୟରେ ପୁଣି ଆରଟିଓ ଅଫିସରେ ଭିଡ଼ ବଢ଼ିବାରେ ଲାଗିଛି। ପ୍ରତିଦିନ ୨ଶହ ପାଖାପାଖି ଲୋକେ ଡ୍ରାଇଭିଂ ଲାଇସେନ୍ସ ଓ ଅନ୍ୟ କାଗଜପତ୍ର ପାଇଁ ଆବେଦନ କରୁଛନ୍ତି। ଅନ୍ୟପକ୍ଷରେ ଅନ୍‌ଲାଇନ୍‌ ଆବେଦନକୁ ନେଇ ଲୋକେ ହଟହଟା ହେଉଛନ୍ତି। ଅନେକ ସମୟରେ ଆର୍‌ଟିଓ ଓ୍ବେବ୍‌ସାଇଟ୍‌ରେ ରହିଥିବା ବିଭିନ୍ନ ଅପ୍‌ଶନ ଆସୁନି। ଏପରି କି ଉକ୍ତ ସାଇଟ୍‌ ଖୋଲୁ ନ ଥିବା ମଧ୍ୟ ଅଭିଯୋଗ ହେଉଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଫଳରେ ସେମାନେ ବାଧ୍ୟହୋଇ ଅଫ୍‌ଲାଇନ୍‌ରେ ଆବେଦନ କରିବାକୁ ଆର୍‌ଟିଓ ଅଫିସକୁ ଆସୁଛନ୍ତି। କିନ୍ତୁ ଅଫିସ ପକ୍ଷରୁ ଅନ୍‌ଲାଇନ୍‌ ଆବେଦନ କରିବାକୁ ବାଧ୍ୟ କରାଯାଉଥିବାରୁ ଲୋକେ ଦଲାଲଙ୍କ ସାହାରା ନେଉଛନ୍ତି। କିଛିଦିନ ତଳେ ଭୁବନେଶ୍ୱରର ଦୁଇଟି ଆର୍‌ଟିଓ ଅଫିସ ନିକଟରେ ରହିଥିବା ଦଲାଲ ଚାଳିଆକୁ ଭାଙ୍ଗି ଦିଆଯିବା ସହ ଅନେକଙ୍କୁ ଗିରଫ କରାଯାଇଥିଲା। ଏହାପରେ କିଛିଦିନ ପାଇଁ ଦଲାଲ ସେଠାରୁ ଉଭାନ ହୋଇଯାଇଥିଲେ। ହେଲେ ଏବେ ଆର୍‌ଟିଓ ଅଫିସରେ ଖୁଲମ୍‌ ଖୁଲା ବୁଲୁଛନ୍ତି ଦଲାଲ। ସେମାନେ ଲୋକଙ୍କୁ ଲାଇସେନ୍ସ କରାଇଦେବାକୁ କହି ପୂର୍ବାପେକ୍ଷା ଅଧିକ ଟଙ୍କା ନେଉଛନ୍ତି। ଫୋନ୍‌ ନମ୍ବର ନେଇ ଯୋଗାଯୋଗରେ ରହିବା ସହ ଗ୍ରାହକ ବଢ଼ାଇ ଚାଲିଛନ୍ତି। ଏ ନେଇ ଆର୍‌ଟିଓ ଓ ପୋଲିସ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନ ଥିବାବେଳେ ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି, ଏବେ ଲୋକଙ୍କୁ ସଚେତନ କରାଯାଉଛି। ଆଉ ୬ ଦିନ ପରେ ଯାଞ୍ଚ କଡାକଡି କରାଯିବ। ଟ୍ରାଫିକ ନିୟମ ମାନିବା ସହ ଗାଡିର କାଗଜପତ୍ର ଠିକ୍‌ ରଖିବାକୁ କୁହାଯାଉଛି।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୧ରୁ ସାରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଥିଲା। ଅପ୍ରସ୍ତୁତ ଥିବା ଲୋକେ ହଠାତ୍‌ ବଡ଼ ଧରଣର ଜରିମାନା ଗଣିବାରୁ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ରାଜମହଲ ଛକରେ ପୋଲିସ ଓ ସାଧାରଣ ଜନତା ମୁହଁାମୁହିଁ ହୋଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବର ୯ରେ ଗାଡ଼ି କାଗଜପତ୍ର କରିବାକୁ ୩ମାସ ସମୟ ଦେଇଥିଲେ।

Share