ନୂଆ ମୋଟର ଯାନ ନିୟମକୁ ନେଇ ଭୁବନେଶ୍ୱରରେ ହଙ୍ଗାମା: ପୋଲିସ ଗାଡ଼ି ସହ ୩ ସରକାରୀ ଗାଡ଼ିକୁ ଅଟକାଇ କାଗଜପତ୍ର ଯାଞ୍ଚ କଲେ ଉତ୍ତ୍ୟକ୍ତ ଲୋକେ

ଭୁବନେଶ୍ୱର,୭।୯(ବ୍ୟୁରୋ): ଭୁବନେଶ୍ୱର ରାଜମହଲ ଛକରେ ନୂଆ ମୋଟର ଯାନ ନିୟମକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ସରକାରୀ ଓ ପୋଲିସ ଗାଡିକୁ ଯାଞ୍ଚ ନ କରାଯାଇ ଛାଡ଼ିଦିଆଯାଉଥିବା ଅଭିଯୋଗ ହୋଇଆସୁଛି। ଏହି ପରିପ୍ରେକ୍ଷୀରେ ଶନିବାର ମଧ୍ୟାହ୍ନରେ ଭୁବନେଶ୍ୱର ରାଜମହଲ ଛକରେ ପୋଲିସ ଗାଡ଼ି ସମେତ ୩ଟି ଗାଡି(ମୋ ବସ୍‌, ବିଏମ୍‌ସି ଗାଡି)କୁ ଅଟକାଇଥିଲେ ଲୋକେ।

ଏଥିସହ ଏସବୁ ଗାଡିର କାଗଜପତ୍ର ଠିକ୍‌ ଅଛି କି ନାହିଁ ଯାଞ୍ଚ କରିଥିଲେ। ଲୋକଙ୍କ କ୍ରୋଧଦେଖି ବିଏମ୍‌ସି ଗାଡ଼ିର ଚାଳକ ଚମ୍ପଟ ମାରିଥିବା ଜଣାପଡ଼ିଛି। ଏଥିସହ ମୋ ବସ୍‌ରେ ମାତ୍ରାଧିକ ଯାତ୍ରୀ ଉଠାଉଥିବା, ଡ୍ରାଇଭର ସିଟ୍‌ ବେଲ୍ଟ ବାନ୍ଧି ନ ଥିବା ଏବଂ ପୋଲିସ ପାଟ୍ରୋଲିଂ ଭ୍ୟାନର କାଗଜପତ୍ର ଠିକ୍‌ ନ ଥିବା ଅଭିଯୋଗ କରିଥିଲେ ଉତ୍ତ୍ୟକ୍ତ ଲୋକେ। ଏଥିରେ ସାମିଲ ହୋଇଛି ଅଟୋ ମହାସଂଘ। ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ଲାଠି ଚାର୍ଜ କରିଛି। ସେଠାରେ ଏବେ ବି ପରିସ୍ଥତି ଉତ୍ତେଜନାପୂର୍ଣ୍ଣ ରହିଛି।