Advertisement

ନୂଆ ମୋଟର ଯାନ ନିୟମ ଅନୁଯାୟୀ ଚାଲାଣ କାଟିବାରୁ ବଞ୍ଚାଇ ପାରିବ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ,୪।୯: ଚଳିତ ମାସ ଆରମ୍ଭରୁ ନୂଆ ମୋଟର ଯାନ ନିୟମ ଲାଗୁ ହୋଇଥିବା ବେଳେ ଏବେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତିକି ଗାଡିର ଦାମ୍‌ଠାରୁ ଅଧିକ ପରିମାଣର ଚାଲାଣ ମଧ୍ୟ କଟାଯାଉଥିବା ନଜର ଆସିଲାଣି। ହେଲେ ଏହି ନିୟମ ଆଧାରରେ ଯେଉଁମାନେ ମୋଟା ଅଙ୍କର ଜରିମାନା ଗଣୁଛନ୍ତି ସେମାନଙ୍କୁ ଏବେ କେବଳ ସ୍ମାର୍ଟଫୋନ୍‌ ବଞ୍ଚାଇ ପାରିବ। ଏଥିପାଇଁ ସ୍ମାର୍ଟଫୋନ୍‌ରେ ପ୍ରଥମେ ଡିଜିଲକର ଓ ଏମ୍‌ପରିବହନ ଆପ୍‌ ଡାଉନଲୋଡ କରିବାକୁ ପଡିବ। ଏହାପରେ ସାଇନ୍‌ ଅପ୍‌ କରିବାକୁ ନିଜ ମୋବାଇଲ ନମ୍ବର ଦେବାକୁ ପଡିବ। ପରେ ମୋବାଇଲକୁ ଏକ ଓଟିପି ନମ୍ବର ଆସିବ। ଏହି ଓଟିପି ନମ୍ବରକୁ ଏଣ୍ଟର କରି ଭେରିଫାଏ କରିବାକୁ ପଡିବ। ଏହାର ପରବର୍ତ୍ତି ପର୍ଯ୍ୟାୟରେ ୟୁଜର ନେମ୍‌ ଓ ପାସଓ୍ବାର୍ଡ ଦେବାକୁ ପଡିବ। ଏହାପରେ ଡିଜିଲକର ଆକାଉଣ୍ଟ କ୍ରିଏଟ ହୋଇଯିବ। ଏହାପରେ ନିୟମ ଅନୁଯାୟୀ ନିଜ ଆଧାର ନମ୍ବର ଦେବାକୁ ପଡିବ। ଆଧାର ନମ୍ବର ସହ ଯେଉଁ ମୋବାଇଲ ନମ୍ବର ଥିବ ସେହି ନମ୍ବରରେ ଏକ ଓଟିପି ନମ୍ବର ଆସିବ। ଏହି ଓଟିପି ନମ୍ବର ଏଣ୍ଟର କରିବା ପରେ ଆଧାର ଭେରିଫାଏ ହୋଇଯିବ। ଡିଜିଲକର ଆକାଉଣ୍ଟ ହୋଇଯିବା ପରେ ଜଣେ ବ୍ୟକ୍ତି ସହଜରେ ନିଜର ଆର୍‌ସି, ଲାଇସେନ୍ସ ଓ ଇନ୍ୟୁରାନ୍ସ ସେହିଠାରୁ ଡାଉନ୍‌ଲୋଡ କରିପାରିବ। ଏମିତି କରିବା ପରେ ଏସବୁ କାଗଜ ପତ୍ର ଆଉ ନିଜ ପାଖରେ ରଖିବାକୁ ପଡିବ ନାହିଁ। ଯେତେବେଳେ ଆବଶ୍ୟକ ସେତେବେଳେ ଜଣେ ବ୍ୟକ୍ତି ନିଜ ମୋବାଇଲ ମାଧ୍ୟମରେ ଏହାକୁ ଦେଖାଇ ପାରିବେ ଓ ଲାଗୁ ହୋଇଥିବା ଜରିମାନାରୁ ବଞ୍ଚିଯାଇ ପାରିବେ। କିନ୍ତୁ ସିଟ୍‌ ବେଲ୍ଟ ଓ ହେଲମେଟ ପିନ୍ଧିବା ଜରୁରୀ। କାରଣ ଏଭଳି ଭୁଲ୍‌ ପାଇଁ ସ୍ମାର୍ଟ ଫୋନ୍‌ କୌଣସି ପ୍ରକାର ସାହାଯ୍ୟ କରିପାରିବ ନାହିଁ। ସୂଚନାଯୋଗ୍ୟ, ଏହି ଡିଜିଟାଲ ଲକର ବା ଡିଜି ଲକର ଏକ ପ୍ରକାର ଭର୍ଚୁଆଲ ଲକର। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୫ରେ ଲଞ୍ଚ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share