ନୂଆ ରୂପ ନେବ ରଘୁନନ୍ଦନ ଲାଇବ୍ରେରି

ପୁରୀ ଅଫିସ, ୨୯।୮: ନୂଆ ରୂପ ନେବ ରଘୁନନ୍ଦନ ଲାଇବ୍ରେରି। ଏହାକୁ ବିଶ୍ୱସ୍ତରୀୟ ପାଠାଗାରରେ ପରିଣତ କରାଯିବ। ଏଥିରେ ଥିବା ଦୁର୍ମୂଲ୍ୟ ପୁସ୍ତକ, ପୋଥି ଓ ବିଭିନ୍ନ ନଥିପତ୍ରର ସଂରକ୍ଷଣ ହେବ। ଏହି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଭୂଅର୍ଜନ ସମ୍ମିଳନୀ କକ୍ଷରେ ଅସ୍ଥାୟୀ ଭାବେ ପାଠାଗାର ଚାଲିବ ବୋଲି କହିଛନ୍ତି ଜିଲାପାଳ ବଲୱନ୍ତ ସିଂ। ବ୍ରିଟିଶ ଅମଳର ରଘୁନନ୍ଦନ ଲାଇବ୍ରେରି ଉଚ୍ଛେଦ ପରେ ଏହାର ଭବିଷ୍ୟତ କ’ଣ ହେବ, ଲିଭିଯିବ କି ଐତିହ୍ୟର ଏହି ସ୍ମାରକୀ? ଏମିତି ଖବର ପ୍ରକାଶ ପରେ ବୁଧବାର ଜିଲାପାଳ ଖବରଦାତା ସମ୍ମିଳନୀରେ ଏ ନେଇ ସ୍ପଷ୍ଟ କରିଛନ୍ତି।
ଜିଲାପାଳ କହିଛନ୍ତି, ଏମାର ମଠ ରଘୁନନ୍ଦନ ଲାଇବ୍ରେରିରେ ବହୁ ମୂଲ୍ୟବାନ ବିରଳ ପୁସ୍ତକ, ପୋଥି ଏବଂ ପାଣ୍ଡୁଲିପି ରହିଛି। ଏହିଭଳି ଦୁର୍ମୂଲ୍ୟ ପୁସ୍ତକ ହେଉଛି ଆମର ଜାତୀୟ ସମ୍ପତ୍ତି। ଏହାକୁ ସଂରକ୍ଷଣ କରାଯିବ। ରାଜ୍ୟ ସରକାର ମଧ୍ୟ ଏହାର ସଂରକ୍ଷଣ ପାଇଁ ତୁରନ୍ତ ପଦକ୍ଷେପ ନେଇ ସ୍ବତନ୍ତ୍ର ଟିମ୍‌ ପଠାଇଛନ୍ତି। ଖଣ୍ଡିଏ ହେଲେ ବି ବହି ଯେପରି ନଷ୍ଟ ନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଆଧୁନିକୀକରଣ କାମ ପରେ ରଘୁନନ୍ଦନ ଲାଇବ୍ରେରିକୁ ସେହି ଏମାର ମଠ ନିକଟରେ ରଖିବା ଲାଗି ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ। ବର୍ତ୍ତମାନ ପାଠାଗାର ଅସୁରକ୍ଷିତ କୋଠାରେ ଥିବାରୁ ଏହାର ସବୁ ପୁସ୍ତକ, ପୋଥି ଏବଂ ଆସବାବପତ୍ର ଭୂଅର୍ଜନ ସମ୍ମିଳନୀ କକ୍ଷକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟ ଅଭିଲେଖାଗାର, ହରେକୃଷ୍ଣ ମହତାବ ପାଠାଗାରର କର୍ମଚାରୀମାନେ ସଂରକ୍ଷଣ ଦାୟିତ୍ୱରେ ନିୟୋଜିତ ଅଛନ୍ତି। ଏହାର ଭିତ୍ତିଭୂମିର ବିକାଶ ପାଇଁ କଲିକତା, ବମ୍ବେ ପ୍ରଭୃତି ସହରରେ ଥିବା ଜାତୀୟସ୍ତରୀୟ ପାଠାଗାରର ସହଯୋଗ ନିଆଯିବ। ପୁସ୍ତକଗୁଡ଼ିକର ସଂରକ୍ଷଣ ଲାଗି ଯଦି ଦରକାର ପଡେ ତେବେ ସେଠାରୁ ବିଶେଷଜ୍ଞମାନଙ୍କୁ ଅଣାଯିବ। ଏହାକୁ ଏକ ବିଶ୍ୱସ୍ତରୀୟ ପାଠାଗାର କରାଯିବ। ସବୁ ପୁସ୍ତକର ତାଲିକା ପ୍ରସ୍ତୁତ ହେବା ପରେ ଏହାର ଡିଜିଟାଇଜେଶନ କରାଯିବ। ଡିଜିଟାଇଜେଶନ କାର୍ଯ୍ୟ ଶେଷ ହେବା ପରେ ପାଠିକାପାଠକମାନେ ଏହି ସମ୍ମିଳନୀ କକ୍ଷରେ ପଢ଼ିପାରିବେ। ଜିଲା ସଂସ୍କୃତି ଅଧିକାରୀ ଏହି ସବୁ କାମକୁ ତଦାରଖ କରିବେ। ପାଠାଗାରର ପୂର୍ବ କାର୍ଯ୍ୟରତ କର୍ମଚାରୀଙ୍କ ସ୍ବାର୍ଥକୁ ମଧ୍ୟ ଦୃଷ୍ଟିରେ ରଖାଯିବ ବୋଲି ଜିଲାପାଳ ସିଂ କହିଛନ୍ତି।

Share