Categories: ଜାତୀୟ

ନୂଆ ଶିକ୍ଷାନୀତି କାର୍ଯ୍ୟକାରୀ ଲାଗି ବୈଠକ: ପାଣ୍ଠି ପ୍ରସଙ୍ଗ ଉଠାଇଲେ ରାଜ୍ୟ

ନୂଆଦିଲ୍ଲୀ,୭ା୧୦(ପି.ଟି.): କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପ୍ରସ୍ତାବିତ ନୂତନ ଶିକ୍ଷାନୀତି କାର୍ଯ୍ୟକାରିତା ଲାଗି ବିଭିନ୍ନ ରାଜ୍ୟ ପାଣ୍ଠି ପ୍ରସଙ୍ଗ ଉଠାଇଛନ୍ତି। ସରକାରଙ୍କ ଚିଠା ନୀତିରେ କେତେକ ଭଲ ପ୍ରସ୍ତାବ ରହିଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରିବା ଲାଗି ପାଣ୍ଠି ଯୋଗାଣର କୌଣସି ଯୋଜନା ନ ଥିବା ସେମାନେ କହିଛନ୍ତି। କୌଣସି ନୂଆ ନୀତି କାର୍ଯ୍ୟକାରୀ କରିବାକୁ ହେଲେ ପାଣ୍ଠି ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ମାନବ ସମ୍ବଳ ମନ୍ତ୍ରଣାଳୟର କେନ୍ଦ୍ରୀୟ ଶିକ୍ଷା ଉପଦେଷ୍ଟା ବୋର୍ଡ (ସିଏବିଇ) ବୈଠକରେ ବିଭିନ୍ନ ରାଜ୍ୟର ଶିକ୍ଷାମନ୍ତ୍ରୀ ମତ ଦେଇଛନ୍ତି।
ରାଜ୍ୟଗୁଡ଼ିକରେ ନୂତନ ଶିକ୍ଷାନୀତି କାର୍ଯ୍ୟକାରୀ କରିବାକୁ ହେଲେ ଅଧିକ ଆର୍ଥତ୍କ ସହାୟତାର ଆବଶ୍ୟକତା ରହିଛି। ତେଣୁ ଏଥିପାଇଁ ଉପଯୁକ୍ତ ଆର୍ଥତ୍କ ଯୋଜନା ପ୍ରସ୍ତୁତ ହେବା ଜରୁରୀ ବୋଲି ଓଡ଼ିଶାର ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ କହିଥିଲେ। ପ୍ରାକ୍‌ ପ୍ରାଥମିକ ଶିକ୍ଷା ଏବଂ ଅଙ୍ଗନଓ୍ବାଡ଼ି ଆଦି ଭଲ ପଦକ୍ଷେପ ହୋଇଥିବାବେଳେ କେବଳ ରାଜ୍ୟ ସରକାରଙ୍କ ଦ୍ୱାରା ଏହା କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ। ଏଥିପାଇଁ କେନ୍ଦ୍ର ପାଣ୍ଠି ଯୋଗାଇଦେବା ଆବଶ୍ୟକ ବୋଲି ଓଡ଼ିଶାର ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ। ସେହିପରି ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରିତା ଲାଗି ରାଜ୍ୟଗୁଡିକ ଉପରେ ପଡିବାକୁ ଥିବା ଆର୍ଥତ୍କ ବୋଝକୁ କେନ୍ଦ୍ର ବହନ କରିବା ଉଚିିତ ବୋଲି ବିହାର ଶିକ୍ଷାମନ୍ତ୍ରୀ କେ.ଏନ୍‌. ପ୍ରସାଦ ବର୍ମା କହିଥିଲେ। ଏହା ଭଲ ପ୍ରସ୍ତାବ ହୋଇଥିଲେ ହେଁ ଏହାକୁ କିପରି କାର୍ଯ୍ୟକାରୀ କରାଯିବ ତାହା ଉଲ୍ଲେଖ ନ ଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ୍‌ ସିସୋଦିଆ କହିଛନ୍ତି। ସେହିପରି ଅନ୍ୟରାଜ୍ୟର ଅର୍ଥମନ୍ତ୍ରୀ ଓ ପ୍ରତିନିଧିମାନେ ମଧ୍ୟ ପାଣ୍ଠି ପ୍ରସଙ୍ଗ ଉଠାଇଥିଲେ।
ଇସ୍ରୋର ପୂର୍ବତନ ମୁଖ୍ୟ କେ. କସ୍ତୁରିରଙ୍ଗନ୍‌ଙ୍କ ନେତୃତ୍ୱରେ ଗଠିତ କମିଟି ନୂଆ ଜାତୀୟ ଶିକ୍ଷାନୀତିର ଚିଠା ପ୍ରସ୍ତୁତ କରି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ହସ୍ତାନ୍ତର କରିଥିଲେ। ଏହା ଉପରେ ଜନସାଧାରଣଙ୍କ ମତାମତ ଲୋଡାଯାଇଥିଲାବେଳେ ୨ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରସ୍ତାବ ମିଳିଥିଲା। ବର୍ତ୍ତମାନର ଜାତୀୟ ଶିକ୍ଷାନୀତି ୧୯୮୬ରେ ପ୍ରସ୍ତୁତ ହୋଇଥିଲା ଓ ୧୯୯୨ରେ ସେଥିରେ ସଂଶୋଧନ କରାଯାଇଥିଲା। ନୂଆ ଶିକ୍ଷାନୀତି ଆଣିବା ୨୦୧୪ରେ ଭାଜପାର ନିର୍ବାଚନୀ ଏଜେଣ୍ଡା ଥିଲା।

Share