ନୂଆ ସଡ଼କ ସୁରକ୍ଷା ନିୟମ ନେଇ ସଚେତନତା

ବାରିପଦା ଅଫିସ,୬ା୯-କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ମୋଟରଯାନ ନିୟମ ଲାଗୁ କରାଯିବା ପରେ ରାଜ୍ୟ ସରକାର ଏହାକୁ କଡ଼ାକଡ଼ି କରିଛନ୍ତି ା ଫଳରେ ବିନା ଲାଇସେନ୍ସ ଓ ହେଲମେଟରେ ଗାଡି ଚଳାଇବା ସହିତ ଅନ୍ୟାନ୍ୟ ନିୟମ ଉଲ୍ଲଂଘନ କରୁଥିବା ଚାଳକମାନଙ୍କୁ ମୋଟା ଅଙ୍କର ଜରିମାନା ବ୍ୟବସ୍ଥା କରାଯାଇଛି। ଏଭଳି ବ୍ୟବସ୍ଥାକୁ ନେଇ ବାରିପଦା ସହରରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ମୟୂରଭଞ୍ଜ ପୋଲିସ ପକ୍ଷରୁ ଏକ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ମହାରାଜା ପୂର୍ଣ୍ଣଚନ୍ଦ୍ର ଜୁନିଅର କଲେଜ ଓ ବାରିପଦା ଏମ୍‌କେସି ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଶୁଭଙ୍କର ସାହୁ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଜ୍ଞା ପାରମିତା ଜେନା ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ଜିଲା ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମ ଦାସ, ସମ୍ମାନିତ ବକ୍ତା ଭାବେ ମୟୂରଭଞ୍ଜ ଉପଜିଲାପାଳ ତଥା ଆରଟିଓ ଦିବ୍ୟଜ୍ୟୋତି ପରିଡା, ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଅଭିମନ୍ୟୁ ନାୟକ, ସଦର ଏସଡିପିଓ କୃଷ୍ଣ ପ୍ରସାଦ ପଟ୍ଟନାୟକ ଓ ଅତିରିକ୍ତ ପରିବହନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ା ମୋଟରଯାନ ଉପରେ ପ୍ରଣୟନ କରାଯାଇଥିବା ନୂଆ ନିୟମ ସମ୍ପର୍କରେ ଅତିଥିମାନେ ଉପସ୍ଥିତ ଛାତ୍ରୀଛାତ୍ରମାନଙ୍କୁ ଜଣାଇଥିଲେ। ଇଂଲିଶ ଅଧ୍ୟାପିକା ଦେବସ୍ମିତା ପାଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ତପସ୍ବିନୀ ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତ୍ରୀଛାତ୍ରମାନଙ୍କୁ ନେଇ ଏକ ସଚେତନତା ରାଲି କଲେଜରୁ ବାହାରିଥିଲା ା ଜିଲା ଆରକ୍ଷୀ ଅଧୀକ୍ଷକ ଦାସ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଛାତ୍ରୀଛାତ୍ରମାନେ ହାତରେ ବିଭିନ୍ନ ନୂଆ ନିୟମ ଲାଗୁ ହୋଇଥିବା ପ୍ଲାକାର୍ଡ ଧରି ସହରରେ ଚଳପ୍ରଚଳ କରୁଥିବା ଜନସାଧାରଣଙ୍କୁ ସଚେତନ କରିଥିଲେ। ଟାଉନ ଥାନା ଅଧିକାରୀ ଅଶୋକ ନାୟକଙ୍କ ସମେତ ବହୁ ପଦାଧିକାରୀ ଏଥିରେ ସହଯୋଗ କରିଥିଲେ।