Categories: ଜାତୀୟ

ନୂଆ ସରକାରଙ୍କୁ ଶୁଭେଚ୍ଛା ଜଣାଇ ଇସ୍ତଫା ଦେଲେ ଫଡ୍‌ନବିସ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନିବସ ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଅପରାହ୍ନ ୩ଟା ୩୦ରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସେ ଏହା ଘୋଷଣା କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ସେ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫା ପତ୍ର ଦେବେ ବୋଲି କହିଛନ୍ତି। ବୁଧବାର ସନ୍ଧ୍ୟା ୫ଟାରେ ସଂଖା ଗରିଷ୍ଠତାର ପ୍ରମାଣ ଦେବାକୁ ଥିବା ବେଳେ ଏହା ପୂର୍ବରୁ ସେ ଇସ୍ତଫା ପ୍ରଦାନ କରିଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରଥମେ ଉପମୁଖ୍ୟମନ୍ତ୍ରୀ ପଦରୁ ଏନ୍‌ସିପି ନେତା ଅଜିତ ପାଓ୍ବାର ଇସ୍ତଫା ଦେଇଥିଲେ। ଏବେ ଫଡ୍‌ନବିସ ଇସ୍ତଫା ଦେବାରୁ ମହାରାଷ୍ଟ୍ରର ଭାଜପା ନେତୃତ୍ୱାଧିନ ସରକାର ଭାଙ୍ଗି ଯାଇଛି। ଏହାପରେ ଫଡ୍‌ନବିସ କହିଛନ୍ତି ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ତାଙ୍କୁ ଧମକ ଦେଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ସୁପ୍ରିମକୋର୍ଟଙ୍କ ରାୟ ପରେ ଯେତେବେଳେ ଉପ ମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାଓ୍ବାର ଇସ୍ତଫା ଦେଇଥିଲେ ସେତେବେଳେ ଆମେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇସାରିଥିଲୁ। କାରଣ କୌଣସି ଦଳକୁ ଭାଙ୍ଗିବାକୁ ଅବା ଘୋଡା ବେପାର କରିବାକୁ ଚାହୁଁ ନ ଥିଲା ଭାଜପା। ଏବେ ସେ ନୂଆ ସରକାରକୁ କାମ ଶିଖାଇବେ ବୋଲି ଫଡନବିସ କହିଛନ୍ତି। ଅନ୍ୟପଟେ ଶିବସେନା, ଏନ୍‌ସିପି ଓ କଂଗ୍ରେସ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଚାହିଁ ବସିଛନ୍ତି। ସୂଚନାଯୋଗ୍ୟ, ଗତ ଅକ୍ଟୋବରରୁ ଏଠାରେ ବିଧାନସଭା ନିର୍ବାଚନ ସରିଥିବା ବେଳେ ଏପର୍ଯ୍ୟନ୍ତ ଏଠାରେ ଆସନ ଭାଗବଣ୍ଟାକୁ ନେଇ ଗଣିତ ଛିଡି ପାରୁ ନାହିଁ।

Share