ନୂତନ ଜ୍ଞାନକୌଶଳରେ ମତ୍ସ୍ୟଚାଷ ଲାଗି ଆହ୍ବାନ

ବାଲେଶ୍ୱର ଅଫିସ, ୧୫।୧୧- ନୂତନ ଜ୍ଞାନକୌଶଳ ମାଧ୍ୟମରେ ମତ୍ସ୍ୟଚାଷ କଲେ ଚାଷୀମାନେ ଅଧିକ ଲାଭବାନ ହୋଇପାରିବେ ବୋଲି କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଓ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପରାମର୍ଶ ଦେଇଛନ୍ତି। ବାଲେଶ୍ୱର ଆଇଟିଆଇ ଛକରେ ନବନିର୍ମିତ ମାର୍ସକୋ ଆକ୍ୱା କ୍ଲିନିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ଆକ୍ୱା ୱାନ୍‌ ସେଣ୍ଟର (ଏଓସି) ଉଦ୍‌ଘାଟନ ଅବସରରେ ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଯୋଗଦେଇ ଏହା କହିଛନ୍ତି। ଏହି ଅବସରରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜରୁ ଶତାଧିକ ମତ୍ସ୍ୟଚାଷୀ ଯୋଗଦେଇଥିଲେ।
ଆୟୋଜିତ ଉତ୍ସବରେ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ ଏକ୍‌ଷ୍ଟେନ୍‌ଶନ୍‌ ମ୍ୟାନେଜମେଣ୍ଟ (ମ୍ୟାନେଜ୍‌) ହାଇଦ୍ରାବାଦ୍‌ର ସହନିର୍ଦ୍ଦେଶକ ଡ. ବିନିତା କୁମାରୀ, ଜିଲା ମତ୍ସ୍ୟ ବିଭାଗ ସହ ନିର୍ଦ୍ଦେଶକ ଅଜୟ କୁମାର ଭୋଇ, କଲିକତା ପଶୁ ଓ ମତ୍ସ୍ୟ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ଗଦାଧର ଦାସ, ଚେନ୍ନାଇ ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ଏଗ୍ରିକଲ୍‌ଚରାଲ ରିସର୍ଚ୍ଚ (ଆଇସିଏଆର୍‌), ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବ୍ରାକିସ୍‌ ୱାଟର ଆକ୍ୱାକଲଚର୍‌(ଶିବା)ର ଅଧ୍ୟକ୍ଷ ବୈଜ୍ଞାନିକ ଡ. ଅକ୍ଷୟ ପାଣିଗ୍ରାହୀ, ମୟୂରଭଞ୍ଜ ଜିଲା ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର କୁମାର ଘଡ଼େଇ, ହାଇଦ୍ରାବାଦ ମାର୍ସକୋ ଆକ୍ୱା କ୍ଲିନିକ୍ସର ନିର୍ଦ୍ଦେଶକ ମହିଧର ବୋଲେମ ପ୍ରମୁଖ ପାଣି ଓ ମାଟି ପରୀକ୍ଷା କରାଇ ମାଛ ଓ ଚିଙ୍ଗୁଡ଼ି ଚାଷ କରାଇଲେ ଚାଷୀମାନେ ଲାଭବାନ୍‌ ହୋଇପାରିବେ ବୋଲି ଆଲୋଚନା କରିଥିଲେ। ବୈଜ୍ଞାନିକ ସୁଶ୍ରୀ ରେଖା ଦାସ ଓ ନିତ୍ୟସୁନ୍ଦର ପାଲ, ସଂଯୋଜକ ପ୍ରଶାନ୍ତ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ମାର୍ସକୋ ଆକ୍ୱା କ୍ଲିନିକ୍ସର ସଦସ୍ୟମାନେ ସହଯୋଗ କରିଥିଲେ।