ଘଣ୍ଟାପଡ଼ା,୧୮ା୪(ଡି.ଏନ୍.ଏ) : ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୧ ନଂ ଜିଲାପରିଷଦ ଜୋନ୍ର ଅନେକ ସ୍ଥାନରେ ଇଭିଏମ ଅଚଳ ହୋଇପଡ଼ିଥିଲା। ଫଳରେ ୧ ଘଣ୍ଟା ବିଳମ୍ବରେ ମତଦାନ କରିଥିଲେ ଭୋଟର। ଖବର ଅନୁଯାୟୀ, ଖୁଣ୍ଟିଗୋରା ୨୧୬ ନଂ ବୁଥ୍, ଉମାର ୨୧୩ ନଂ ବୁଥ୍, ଘଣ୍ଟାପଡ଼ାର ୧୮୩ ନଂ ବୁଥ୍ରେ ମତଦାନ ବିଳମ୍ବ ହୋଇଥିଲା। ଇଭିଏମ୍ ଠିକ୍ ହେବା ପରେ ଭୋଟ ଦିଆଯାଇଥିଲା। ଏହାର କିଛି ସମୟ ପରେ ପୁଣି ଇଭିଏମ୍ ଅଚଳ ହୋଇପଡ଼ିଥିଲା। ଫଳରେ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଗୁରୁବାର ସକାଳେ ବିଜେଡି ବିଧାୟକ ପ୍ରାର୍ଥୀ ମହୀଧର ରଣା ନିଜ ଗ୍ରାମର ୨୦୧ ନଂ ବୁଥ୍ରେ ଧାଡ଼ିରେ ଠିଆ ହୋଇ ମତଦାନ କରିଥିଲେ। ସେହିପରି ଜିଲା ପରିଷଦ ସଦସ୍ୟା ଶ୍ରୀମତୀ ମୁକ୍ତାସିନୀ ମଲିକ ନିଜ ଗ୍ରାମ ଘଣ୍ଟାପଡ଼ାର ୧୮୩ ନଂ ବୁଥ୍ରେ ମତଦାନ କରିଥିଲେ। ଶତ ପ୍ରତିଶତ ଭୋଟ ପାଇଁ ସରକାର କରିଥିବା ବ୍ୟବସ୍ଥାରେ ଦିବ୍ୟାଙ୍ଗ, ବୃଦ୍ଧ, ବୃଦ୍ଧା ଉତ୍ସାହିତ ଥିବା ପରିଲକ୍ଷିତ ହୋଇଛି। ସେହିପରି ପ୍ରତ୍ୟେକ ବୁଥ୍ରେ ନୂତନ ମତଦାତାଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା।