ନୂତନ ଶିକ୍ଷାନୀତି ଓ୍ବେବ୍‌ସାଇଟ୍‌ ଉନ୍ମୋଚନ କଲେ ରାଜ୍ୟପାଳ

ଭୁବନେଶ୍ୱର, ୧୨। ୯ (ବ୍ୟୁରୋ):  ରାଜ୍ୟ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ନୂତନ ଶିକ୍ଷାନୀତି ଜାଗରଣ ଅଭିଯାନ ‘My NEP’ ପ୍ରତିଯୋଗିତାର ଓ୍ବେବ୍‌ସାଇଟ୍‌ ‘www.mynep.in’କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଉନ୍ମୋଚନ କରିଛନ୍ତି। ଶୁକ୍ରବାର ରାଜଭବନ ପରିସରରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମରେ ବିକଶିତ ହୋଇଥିବା ଜାତୀୟ ଶିକ୍ଷା ନୀତିକୁ ଗୁରୁତ୍ୱାରୋପ କରିବା ସହ ଶିକ୍ଷା କ୍ଷେତ୍ରରେ ପ୍ରାଚ୍ୟ ଦେଶରେ ହେଉଥିବା ଏହି ସୂର୍ଯ୍ୟୋଦୟ ସାରା ବିଶ୍ୱକୁ ଆଲୋକିତ କରିବ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହ ଜାତୀୟ ଶିକ୍ଷାନୀତି – ୨୦୨୦ ନିମନ୍ତେ ଆରମ୍ଭ ହୋଇଥିବା ଏହି ଜନଜାଗରଣ ପାଇଁ ବିଦ୍ୟା ଭାରତୀ ଓ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ଉଦ୍ୟମକୁ ସେ ପ୍ରଶଂସା କରିଥିଲେ।
ପ୍ରତିଯୋଗିତା ପାଇଁ ‘www.mynep.in’ରେ ଅନଲାଇନ୍‌ ପଞ୍ଜୀକରଣ ଆରମ୍ଭ ହୋଇଥିବାବେଳେ ଏହା ୨୪ ତାରିଖରେ ଶେଷ ହେବ। ୨୫ ତାରିଖ ଅର୍ଥାତ୍‌ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଅନ୍‌ଲାଇନ ମାଧ୍ୟମରେ ସୋସିଆଲ ମିଡ଼ିଆ, ଓ୍ବେବ୍‌ସାଇଟ୍‌ www.mynep.in ଓ My NEPରେ ଲୋକପ୍ରିୟ ଆକର୍ଷକ ପ୍ରତିଯୋଗିତାମାନ ଆୟୋଜନ ହେବ। ୧୩ଟି ଭାଷା ଓ ୪ଟି ଉପବିଷୟରେ ଏହି ପ୍ରତିଯୋଗିତା ହେବ। ଏହାକୁ ୩ଟି ଶ୍ରେଣୀରେ ବିଭକ୍ତ କରାଯାଇଥିବାବେଳେ ଅକ୍ଟୋବର ୫ରେ ବିଜେତାଙ୍କ ନାମ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି।

Share