ଢେଙ୍କାନାଳ ଅଫିସ, ୬।୬: ସାଂସ୍କୃତିକ ଅନୁଷ୍ଠାନ ‘ନୃତ୍ୟମ୍’ର ୨୨ତମ ବାର୍ଷିକ ଉତ୍ସବ ବୁଧବାର ସନ୍ଧ୍ୟାରେ ଗୋପବନ୍ଧୁ ଟାଉନ ହଲ୍ରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କହିଲେ, ଦୀର୍ଘ ୨୨ବର୍ଷ ହେଲା ‘ନୃତ୍ୟମ୍’ ଅନୁଷ୍ଠାନ କଳା ସଂସ୍କୃତିର ପ୍ରଚାର ପାଇଁ ଉଦ୍ୟମ ଜାରି ରଖିଛି। ଏପରି ଅନୁଷ୍ଠାନ ଆଗକୁ ବଢ଼ିଲେ କଳାକାରମାନେ ବିକଶିତ ହେବେ। ସେମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ସୁଯୋଗ ପାଇବେ।
ମୁଖ୍ୟବକ୍ତା ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର କହିଲେ, ଢେଙ୍କାନାଳ ଐତିହ୍ୟସମ୍ପନ୍ନ ଜିଲା। ଏହି ମାଟି ସଂଗ୍ରାମୀଙ୍କ ମାଟି। ଶହୀଦ ବାଜି ରାଉତଙ୍କ ବଳିଦାନ ଆଜି ବି ସମସ୍ତଙ୍କ ପ୍ରେରଣା ହୋଇରହିଛି। ଏହାର ସଦ୍ୟତମ ଉଦାହରଣ ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶ। ସେ ପଞ୍ଚଭୂତରେ ବିଲୀନ ହୋଇଯାଇଛନ୍ତି ସତ, ହେଲେ ତାଙ୍କର ସାହସିକତା ପାଇଁ ସେ ସର୍ବଦା ଅମର ହୋଇ ରହିବେ ବୋଲି ସେ କହିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ନୃତ୍ୟଗୁରୁ ପୁଷ୍ପରଞ୍ଜନ ମଙ୍ଗରାଜ, ସଙ୍ଗୀତ ଗୁରୁ ନିମାକାନ୍ତ ରାଉତରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ କଳ୍ପନା ଦାଶଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରାଯାଇଥିଲା।
କଣ୍ଠଶିଳ୍ପୀ ଗଣେଶ ମିଶ୍ର ସଙ୍ଗୀତ ପରିବେଷଣ କରିଥିଲେ। ଏହାପରେ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପଲ୍ଲବୀ, ଅଭିନୟ ମିତ ଚାହାଁରେ, ଘୁମୁରା, ସଚ୍ଚି ରାଉତରାୟଙ୍କ ଲିଖିତ ଏବଂ ଗୁରୁ ନିରଞ୍ଜନ ରାଉତଙ୍କ ନିର୍ଦ୍ଦେଶନାରେ ଛୋଟ ମୋର ଗାଁଟି ଅଭିନୟ ପରିବେଷିତ ହୋଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷା ମନୋରମା ସିଂ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଜିଲା ସଂସ୍କୃତି ପରିଷଦ ସଂଯୋଜକ ଅବନୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମ୍ପାଦିକା ସଙ୍ଗୀତା ସିଂ, କୋଷାଧ୍ୟକ୍ଷ ରବିନ ଗାନ୍ଧୀ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।