ନୃଶଂସ ପୁଅଙ୍କ ଅମାନବୀୟ କାଣ୍ଡ: ବାପାଙ୍କୁ ଠେଙ୍ଗାରେ ପିଟି ଶଯ୍ୟାଶାୟୀ ମା’ଙ୍କୁ ଜିଅନ୍ତା ଜାଳିଦେଲେ

ପାଟଣାଗଡ଼, ୬।୭ (ଡି.ଏନ୍‌.ଏ.): ସାମାନ୍ୟ ବଚସାକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ମାଡ଼ମାରିବା ପରେ ଶଯ୍ୟାଶାୟୀ ମା’ଙ୍କୁ ଜିଅନ୍ତା ଜାଳିଦେଲେ ପୁଅ। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ବଲାଙ୍ଗିର ଜିଲା ବେଲପଡ଼ା ଥାନା ଅନ୍ତର୍ଗତ ରାଡ଼ବାହାଲ ଗ୍ରାମରେ।
ସୂଚନାନୁଯାୟୀ, ଶନିବାର ଭୋର ସମୟରେ କୌଣସି କାରଣକୁ ନେଇ ଉକ୍ତ ଗ୍ରାମର ଋଷି ଖର୍ସେଲଙ୍କ ପୁଅ ସନ୍ତୋଷ ଘରେ କଳହ କରିଥିଲେ। ଉଭୟ ବାପା ଓ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସନ୍ତୋଷ ଋଷିଙ୍କୁ ଏକ ଠେଙ୍ଗାରେ ବାଡ଼େଇଥିଲେ। ଏହି ସମୟରେ ସନ୍ତୋଷଙ୍କ ଶଯ୍ୟାଶାୟୀ ମା’ ଆଶାମତୀ ପୁଅକୁ ବାରଣ କରିଥିଲେ। ଘଟଣାର ସମାଧାନ ପାଇଁ ଗ୍ରାମବାସୀଙ୍କୁ ଡାକିବା ପାଇଁ ସ୍ବାମୀ ଋଷିଙ୍କୁ କହିଥିଲେ। ଋଷି ଗ୍ରାମବାସୀଙ୍କୁ ଡାକିବାକୁ ଯାଇଥିଲେ। ଏହି ସମୟରେ ଆଶାମତୀ ଶୋଇଥିବା ବେଳେ ସନ୍ତୋଷ ତାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଏ ବିଷୟରେ ଗ୍ରାମବାସୀ ଜାଣିବା ବେଳକୁ ଆଶାମତୀଙ୍କ ମୃତ୍ୟୁ ହୋଇଯାଇଥିଲା। ଗ୍ରାମବାସୀଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ବେଲପଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ସନ୍ତୋଷ ଫେରାର ଅଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Share