ନୃସିଂହନାଥ ମନ୍ଦିରରେ କଟକଣା

ପାଇକମାଳ,୧୭।୩(ଡି.ଏନ.ଏ)
ବରଗଡ଼ ଜିଲାର ଅନ୍ୟତମ ତୀର୍ଥକ୍ଷେତ୍ର ପାଇକମାଳ ବ୍ଲକ ନୃସିଂହନାଥ ମନ୍ଦିରରେ ପ୍ରଥମଥର ପାଇଁ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଇଛି। କରୋନା ଭାଇରସ ସଂକ୍ରମଣ ଆଶଙ୍କା ଥିବାରୁ ସୋମବାରଠାରୁ ଜାରି ହୋଇଥିବା ଏହି କଟକଣା ଅନୁଯାୟୀ, ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଭୋଗ ବିକ୍ରୟଠାରୁ ଆରମ୍ଭ କରି ବାଲ (ଛୋଟପିଲାଙ୍କ କେଶ)ପକା, ଅସ୍ଥି ପ୍ରବାହ, ବିବାହ, ବ୍ରତ ଆଦିକୁ ବନ୍ଦ ରହିବ। ଏହା ସହିତ ସ୍ଥାନୀୟ ଧର୍ମଶାଳା, ଅତିଥି ଭବନକୁ ମଧ୍ୟ ଉକ୍ତ ସମୟ ସୀମା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ପୂର୍ବବତ୍‌ ନିୟମିତ ଚାଲୁ ରହିବ। ଏହି ପରିପ୍ରେକ୍ଷୀରେ ସୋମବାର ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଉକ୍ତ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପାଇକମାଳ ବିଡ଼ିଓ ସୁରେନ୍ଦ୍ର ମେହେର, ତହସିଲଦାର ମନୋଜ କୁମାର ମେହେର, ଅତିରିକ୍ତ ତହସିଲଦାର ସୁକାନ୍ତ ରଣା, ଥାନା ଆଇଆଇସି ବିଶ୍ୱଜିତ ମନବୋଧ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share