ନେଗେଟିଭ୍‌ ଆସିଲା ଫୁଲବାଣୀ ଛାତ୍ରଙ୍କ ରକ୍ତ ନମୂନା

କଟକ ଅଫିସ, ୪।୨: ଚାଇନାର ସିଚୁଆନସ୍ଥିତ ସାଉଥ୍‌ ଓ୍ବେଷ୍ଟ ମେଡିକାଲ ବିଶ୍ୱବିଦ୍ୟାଳୟରେ ଏମ୍‌ବିବିଏସ୍‌ ପଢ଼ୁଥିବା ଫୁଲବାଣୀର ଜଣେ ଛାତ୍ର କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଥିଲା। ହେଲେ ମଙ୍ଗଳବାର ତାଙ୍କ ରକ୍ତ ନମୂନା ରିପୋର୍ଟ ନେଗେଟିଭ୍‌ ଆସିଛି। ଫଳରେ ସେ କରୋନାରେ ଆକ୍ରାନ୍ତ ନ ଥିବା ସ୍ପଷ୍ଟ ହୋଇଛି। ଏହାଛଡ଼ା ଏସ୍‌ସିବିରୁ ଲ୍ୟାବ୍‌ ଯାଇଥିବା ୬ଟି ସାମ୍ପୁଲରୁ ୫ ନେଗେଟିଭ୍‌ ଆସିଛି। ଜଣେ ମହିଳାଙ୍କ ରିପୋର୍ଟ ଆସି ନ ଥିବା ଡିଏମ୍‌ଏଲ୍‌ଟି ଡା ସିବିକେ ମହାନ୍ତି ସୂଚନା ଦେଇଛନ୍ତି।

ପ୍ରକାଶ ଯେ, କରୋନା ଭୂତାଣୁ ସଂକ୍ରମଣ ସନ୍ଦେହରେ ସମ୍ପୃକ୍ତ ଛାତ୍ର ପ୍ରଥମେ କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେ ଗତ ଜାନୁୟାରୀ ୧୧ ତାରିଖରେ ଚାଇନାରୁ ଫୁଲବାଣୀ ଫେରିଥିଲେ। ପ୍ରାୟ ଏକ ସପ୍ତାହ ଧରି ତାଙ୍କୁ ଥଣ୍ଡା ଓ କାଶ ଲାଗି ରହିଥିଲା। ଅପରପକ୍ଷେ ଚାଇନାରୁ ଫେରିଥିବାରୁ ତାଙ୍କୁ କରୋନା ଭାଇରସ ଆକ୍ରାନ୍ତ ହୋଇଥିବା ସନ୍ଦେହ ହୋଇଥିଲା। ଏଣୁ ସେ କନ୍ଧମାଳ ସିଡିଏମ୍‌ଓଙ୍କୁ ଚିଠି ଲେଖି ତାଙ୍କର ସ୍ବାସ୍ଥ୍ୟପରୀକ୍ଷା ସ୍ବତନ୍ତ୍ର ଭାବେ କରାଯିବାକୁ ନିବେଦନ କରିଥିଲେ। ହେଲେ ଉକ୍ତ ଡାକ୍ତରଖାନାରେ ସେଭଳି ସ୍ବତନ୍ତ୍ର ସୁବିଧା ନ ଥିବାରୁ ତାଙ୍କୁ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପୁଣେସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିକୁ ପଠାଯାଇଥିଲା।

Share