ନେଟଫ୍ଲିକ୍ସରେ ରିଲିଜ୍‌ ହେବ ଗୁଞ୍ଜନ ସାକ୍ସସେନା ବାୟୋପିକ୍‌

ମୁମ୍ବାଇ: ଶରଣ ସାକ୍ସସେନାଙ୍କ ନିର୍ଦ୍ଦେଶିତ ତଥା ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ ଗୁଞ୍ଜନ ସାକ୍ସସେନାର ରିଲିଜ୍‌କୁ ନେଇ ପୂର୍ବରୁ ସୋସିଆଲ ମିଡିଆରେ ଖୁବ୍‌ ଆଲୋଚନା ହେଉଥିଲା। ତେବେ ପ୍ରଯୋଜକ କରଣ ଜୋହର ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ଫିଲ୍ମ ଗୁଞ୍ଜନ ସାକ୍ସସେନା ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହେବ ବୋଲି ସେ ଘୋଷଣା କରିଛନ୍ତି। ଏନେଇ ଟୁଇଟରରେ କରଣ ଏକ ଭିଡିଓ ଶେୟାର କରି କ୍ୟାପଶନ୍‌ରେ ଲେଖିଛନ୍ତି, ଗୁଞ୍ଜନଙ୍କ ପ୍ରେରଣାଦାୟକ ଯାତ୍ରା ଇତିହାସ ସୃଷ୍ଟି କରିଛି। ଏହା ହେଉଛି ଫିଲ୍ମର କାହାଣୀ। ଗୁଞ୍ଜନ ସାକ୍ସସେନା- ଦ କାର୍ଗିଲ ଗର୍ଲ, ଖୁବ୍‌ଶୀଘ୍ର ନେଟଫ୍ଲିକ୍ସରେ ଆସୁଛି। ଲକ୍ଷ୍ନୌରେ ରହୁଥିବା ଏକ ସାଧାରଣ ଛୋଟ ଝିଅର ସ୍ବପ୍ନକୁ ନେଇ କାହାଣୀଟି ଆଧାରିତ ହୋଇଛି। ଯିଏ ଛୋଟବେଳୁ ଏକ ବଡ଼ ସ୍ବପ୍ନ ଦେଖିଥିଲେ। ବଡ଼ ହେଲେ ପାଇଲଟ ହେବେ ଏବଂ ହେଲିକପ୍ଟର ଉଡାଇବେ। ତେବେ ଶଙ୍କୁଚିତ ମାନସିକତା ସମାଜରୁ ଊର୍ଦ୍ଧ୍ୱରେ ଉଠି କ’ଣ ଗୁଞ୍ଜନ ନିଜର ସ୍ବପ୍ନ ପୁରା କରିପାରିବେ। ତାହା ଦର୍ଶକେ ଦେଖିପାରିବେ ଏହି ଫିଲ୍ମ ଜରିଆରେ। କରୋନା ଲକ୍‌ଡାଉନ ଯୋଗୁ ଦେଶର ସମସ୍ତ ସିନେମା ହଲ୍‌ ବନ୍ଦ ରହିଛି। ଏଣୁ ପ୍ରଯୋଜକମାନେ ସମସ୍ତ ଫିଲ୍ମଗୁଡ଼ିକୁ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Share