ନେଟ୍‌ ରନରେଟ୍‌ ନିୟମକୁ ଆର୍ଥରଙ୍କ ସମାଲୋଚନା

ଲଡର୍‌ସ,୬।୭- ପାକିସ୍ତାନ କ୍ରିକେଟ୍‌ ଦଳର କୋଚ୍‌ ମିକି ଆର୍ଥର ନେଟ୍‌ ରନରେଟ୍‌ ନିୟମ ବଦଳାଇବା ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ପରାମର୍ଶ ଦେଇଛନ୍ତି। ଏହା ବଦଳରେ ଟୁର୍ନାମେଣ୍ଟରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ଫଳାଫଳକୁ ଗୁରୁତ୍ୱ ଦିଆଯାଉ ବୋଲି ସେ ଯୁକ୍ତି ବାଢ଼ିଛନ୍ତି। କାରଣ ସର୍ଫରାଜ ଅହମ୍ମଦଙ୍କ ନେତୃତ୍ୱାଧୀନ ପାକିସ୍ତାନ ଲିଗ୍‌ ପର୍ଯ୍ୟାୟରେ ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା, ଯେଉଁମାନେ ସେମିଫାଇନାଲ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ପାକିସ୍ତାନ ଦଳ ୧୧ ପଏଣ୍ଟ ସହ ଅଙ୍କ ତାଲିକାର ୫ମ ସ୍ଥାନରେ ରହି ବିଶ୍ୱକପ୍‌ ଅଭିଯାନ ଶେଷ କରିଛି। ସମାନ ସଂଖ୍ୟକ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ସେମି ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଉନ୍ନତ ନେଟ ରନରେଟ୍‌ ଯୋଗୁ ଏଭଳି ହୋଇଛି। ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହେବା ଲାଗି ନ୍ୟୁଜିଲାଣ୍ଡର ନେଟ୍‌ ରନରେଟ୍‌କୁ ପାକିସ୍ତାନ ପଛରେ ପକାଇବାର ଥିଲା। ଏଥିନେଇ ଦଳକୁ ତା’ର ଅନ୍ତିମ ମ୍ୟାଚ୍‌କୁ ୩୧୧ ରନ୍‌ରେ ଜିତିବାର ଥିଲା। ଏହି ନିୟମକୁ ଆର୍ଥର ସମାଲୋଚନା କରି କହିଛନ୍ତି, ଆଇସିସି ନେଟ୍‌ ରନରେଟ୍‌ ବଦଳରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ଫଳାଫଳକୁ ଗୁରୁତ୍ୱ ଦିଆଯାଉ। କାରଣ ହେଡ୍‌ ଟୁ ହେଡ୍‌ ଫଳାଫଳକୁ ଦେଖିଲେ ଆମେ ସେମିଫାଇନାଲ ଖେଳିଥାନ୍ତୁ। ଏହା ଆମ ପାଇଁ ଦୁଃଖଦାୟକ। ଆମେ ପ୍ରଥମ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜଠାରୁ ବୃହତ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲୁ। ଏହା ସତ୍ତ୍ୱେ ଅଷ୍ଟ୍ରେଲିଆକୁ ହରାଇଥିଲେ ଆମେ ସେମିଫାଇନାଲରେ ପ୍ରବେଶ କରିପାରିଥାନ୍ତୁ। ହେଲେ ସେଥିରେ ବିଫଳ ହୋଇଥିଲୁ। ଏହି ପ୍ରକ୍ରିୟା ଦ୍ୱାରା ଗୋଟିଏ ବଡ଼ ପରାଜୟ ପରେ କୌଣସି ଦଳକୁ ଆଉ ଫେରିବାକୁ ସୁଯୋଗ ମିଳୁନାହିଁ। କ୍ୱାଲିଫାଏ କରିଥିବା ସମସ୍ତ ଦଳଙ୍କୁ ଶୁଭେଚ୍ଛା। ସେମାନେ ଭଲ ଖେଳିଛନ୍ତି। ଆଶା କରୁଛୁ, ଭଲ ଖେଳୁଥିବା ଦଳ ଜିତିବ। ଏଥିସହ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଡ୍ରେସିଂ ରୁମ୍‌ରେ ଦଳୀୟ ସଦସ୍ୟଙ୍କ ସହ ପ୍ରଥମେ ବ୍ୟାଟିଂ କରି ସ୍କୋର ବୋର୍ଡରେ ୪୦୦ ରନ୍‌ ଲଗାଇବା ନେଇ ଆଲୋଚନା ହୋଇଥିବା ଆର୍ଥର ସ୍ବୀକାର କରିଛନ୍ତି।

Share