Categories: ଫୁରସତ

ନେତାଙ୍କୁ ବୁଝାଇଦେଇଥିଲି ଚୋରର ଅର୍ଥ…

ଆଠମଲ୍ଲିକରେ ଏକ ସାହିତ୍ୟ ସଭା ଥାଏ। ବର୍ଷ କି ବାର ଠିକ୍‌ ମନେ ନ ଥିଲେ ବି ଘଟଣା କ’ଣ ଥିଲା ତାହା ଏଯାଏ ମନରେ ଅଛି। କାର୍ଯ୍ୟକ୍ରମରେ ମୁଁ ଥାଏ ମୁଖ୍ୟବକ୍ତା ଓ ରାଜ୍ୟର ଜଣେ ନେତା ଥାନ୍ତି ମୁଖ୍ୟଅତିଥି। କାର୍ଯ୍ୟକ୍ରମକୁ ଯିବା ବାଟରେ ମୋ ଗାଡ଼ି ଖରାପ ହେଲା। ତେଣୁ ଫୋନରେ ଜଣାଇଦେଲି, ଯିବାରେ ବିଳମ୍ବ ହେବ, ଆପଣ କାର୍ଯ୍ୟକ୍ରମ ଆରମ୍ଭ କରି ଦିଅନ୍ତୁ। ସଭାସ୍ଥଳରେ ପହଞ୍ଚିବା ବେଳକୁ କାର୍ଯ୍ୟକ୍ରମ ଚାଲିଥାଏ ଓ ମଞ୍ଚରେ ଥାନ୍ତି ମୁଖ୍ୟଅତିଥି ନେତା ମହୋଦୟ। ତାଙ୍କର ପୂର୍ବରୁ କ’ଣ ଭାଷଣ ଥିଲା ଜାଣିନି ହେଲେ ମୋତେ ଦେଖି ମୋଡ଼ ବଦଳାଇଦେଲେ। ହଠାତ୍‌ କହିବା ଆରମ୍ଭ କଲେ ଆଜିକାଲି ବ୍ୟଙ୍ଗକବିମାନେ ନେତାମାନଙ୍କ ଅବଦାନ, ଉତ୍ସର୍ଗକୁ ବୁଝୁନାହାନ୍ତି। କଦର୍ଯ୍ୟ କରି, ଚିଗୁଲେଇ ନେତାମାନଙ୍କ ବିରୋଧରେ ଲେଖୁଛନ୍ତି। ଏପରିକି ଚୋର ବି କହୁଛନ୍ତି। ସିଧା ନ ହେଲେ ବି ବୁଲେଇକି ସେ ମୋତେ ଗାଳି କରୁଛନ୍ତି ବୋଲି ଲାଗିଲା। ପାଳି ଆସିଲା ମୋର। ମୁଖ୍ୟବକ୍ତା ଭାବେ ମାଇକ ଧରିବା ପରେ ଚୋର ଭଳି ପବିତ୍ର ଅର୍ଥକୁ ନେତାଙ୍କ ନଁାରେ ଯୋଡ଼ିବାର ସାହସ ନାହିଁ ବୋଲି ମୁଁ ଉତ୍ତର ରଖିଥିଲି। ବ୍ରଜେ ଚୋରି କଲୁ ଲହୁଣୀ ସର, ବାସ ହରି ନେଲୁ ଗୋପ ନାରୀର, ସତରେ ଯଦି ତୁ ଏଡିକି ଚୋର, ଚୋରି କରି ନେ ଜନମଜନମ ପାପକୁ ମୋର.. ଏହା ହେଉଛି ମୋର ଏକ ଅନୁବାଦିତ କବିତାରୁ କିଛି। ଏହି ପଦକୁ କହିବା ପରେ ଭଗବାନ କୃଷ୍ଣ ବି କିପରି ଚୋର ଥିଲେ ତାହାର ପ୍ରମାଣ ଦେଇଥିଲି। ପରେ ନେତାଙ୍କ ଉଦ୍ଦେଶ୍ୟରେ କହିଥିଲି, ତୁମେ ପାଣି, ଖଣି, ଡାଲି ଯାହା ପାଉଛ ଚୋରି କର। ଚିଟ୍‌ଫଣ୍ଡ ଟଙ୍କା ବି ହଜମ କରିଦିଅ। ଆମର କିଛି କହିବାର ନାହିଁ। ହେଲେ ଥରେ ଲୋକଙ୍କ ଦୁଃଖକୁ ଚୋରି କର ହେ ନେତା ମହୋଦୟ। ସେତେବେଳେ ଆମେ ତୁମକୁ ଚୋର ଡାକି ପାରି ଖୁସି ହେବୁ। ସଭାସ୍ଥଳ କରତାଳିରେ ଭରି ଉଠିଥିଲା। କିଛି ଦିନ ବୋଧେ ଚୋର ଶବ୍ଦକୁ ନେଇ ଆଲୋଡ଼ନ ହୋଇଥିଲା ସେ ଜାଗାରେ, ସାହିତ୍ୟ ଚର୍ଚ୍ଚାରେ ଓ ଓଡ଼ିଶାରେ ବି। ରାଜ୍ୟର ବେଶ୍‌ ପରିଚିତ ବ୍ୟଙ୍ଗ କବି ଜ୍ଞାନ ହୋତାଙ୍କର ଏହା ଅନୁଭୂତିର ଏକ ଅଂଶ।
ଆଠମଲ୍ଲିକର ମାଧପୁର ଗ୍ରାମରେ ଜ୍ଞାନଙ୍କର ଜନ୍ମ। ୭ ଭାଇ ଓ ୩ ଭଉଣୀ ମଧ୍ୟରୁ ଜ୍ଞାନ ହେଉଛନ୍ତି ସବୁଠୁ ସାନ ଭାଇ। ଏପରିକି ୭ଜଣ ଭାଇଙ୍କର ନାମ ଇଂଲିଶ ଆଲଫାବେଟ୍‌ ଏ ଠାରୁ ଜି ପର୍ଯ୍ୟନ୍ତରେ ନାମକରଣ ହୋଇଛି। ଜ୍ଞାନଙ୍କର ମୂଳନାମ ଜ୍ଞାନାନନ୍ଦ ହୋତା। ହେଲେ ନନ୍ଦ ଓ ହୋତା ଭଳି ଦୁଇଟି ସାଙ୍ଗିଆ ଭିତରେ କଳି ନ ହେଉ, ତେଣୁ ସେ ଜ୍ଞାନ ହୋତା ନାମ ରଖିଛନ୍ତି ବୋଲି ବ୍ୟଙ୍ଗର ସହ କହିଥିଲେ। ବାରବାଟୀ ଷ୍ଟାଡିୟମରେ ହେଉଥିବା ଏକ ପୁସ୍ତକ ମେଳାରେ ଜ୍ଞାନ ପ୍ରଥମେ ବ୍ୟଙ୍ଗ କବିତା ଆବୃତ୍ତି କରିଥିଲେ। ପିଲାଟି ବେଳୁ କବିତା ଲେଖିବାର ରୁଚି ନ ଥିଲେ ମଧ୍ୟ ଆପେଆପେ ସେ ଏଥିରେ ଯୋଡ଼ିହୋଇଯାଇଛନ୍ତି। ପିଲା ବେଳେ ଦୁଷ୍ଟାମି କରି ଗାଳି ଓ ଏବେ ଦୁଷ୍ଟାମି କରି ତାଳି ପାଉଛନ୍ତି ବୋଲି ଜ୍ଞାନ କୁହନ୍ତି। ପୁସ୍ତକମେଳାରେ ତାଙ୍କର କବିତା ଶୁଣି ଆକାଶବାଣୀର ବରିଷ୍ଠ ପଦାଧିକାରୀ ସ୍ବର୍ଗତ ଡ. ବ୍ରଜମୋହନ ମହାନ୍ତି ତାଙ୍କୁ ରେଡିଓର ଚହଟା ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେବାକୁ କହିଥିଲେ। ସେହିି ସମୟର ଅନୁଭୂତି ସମ୍ପର୍କରେ ଜ୍ଞାନ କୁହନ୍ତି, ଡ. ମହାନ୍ତି କହିଥିଲେ ଜ୍ଞାନ ତୁମେ ଭଲ କବିତା ଲେଖୁଛ। ଆଉ କିଛି କବିତା ଲେଖିଛ ନା ନାହିଁ ବୋଲି ପଚାରିଥିଲେ। ବାହାଦୁରି ମାରି ଆହୁରି କବିତା ଅଛି ବୋଲି ଜ୍ଞାନ କହି ଦେଇଥିଲେ। ହେଲେ ସତ କଥା ହେଉଛି ପୁସ୍ତକ ମେଳାରେ ଆବୃତ୍ତି କରିଥିବା କବିତା ହିଁ ତାଙ୍କର ପ୍ରଥମ ରଚନା ଥିଲା। ପରଦିନ ୩ଟି କବିତା ଆଣି ଆକାଶବାଣୀରେ ଦେଖା କରିବାକୁ ଡ.ମହାନ୍ତି କହିଲେ। ରାତି ଭିତରେ ୩ଟି କବିତା କିପରି ଲେଖିବେ ବୋଲି ଭାବି ଚିନ୍ତା ବଢ଼ିଯାଇଥିଲା। ସକାଳୁ ମିଛରେ ଡ.ମହାନ୍ତିଙ୍କୁ କହିଥିଲେ ଅଜା ଚାଲି ଯାଇଛନ୍ତି ଆଉ ତୁରନ୍ତ ଗାଁକୁ ଯିବାକୁ ହେବ। ୧୦ଦିନ ପରେ ଆସିବି। ଏକଥାରେ ଡ. ମହାନ୍ତି ରାଜି ହେଲେ। ୧୦ଦିନରେ ୩ଟି କବିତା ଲେଖାସାରି ଡ. ମହାନ୍ତିଙ୍କୁ ଦେଖା କରିଥିଲେ। କବିତାଗୁଡ଼ିକ ପ୍ରଶଂସିତ ହେଲା ଏବଂ ଏହି କବିତା ରଚନା ଭିତରେ ରହିଗଲେ ଜ୍ଞାନ।
-ରିପୋର୍ଟ: କୁମାରଶ୍ରୀ ସାହୁ

Share