ନେତାଜୀ ଜୟନ୍ତୀରେ ଗଣଦୌଡ଼

ଖଇରା, ୨୪।୧(ଡି.ଏନ.ଏ.)-ନେତାଜୀ ଜୟନ୍ତୀ ଉପଲକ୍ଷେ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡ ବଜାରରେ ଗୁରୁବାର ଗଣଦୌଡ ଆୟୋଜନ କରାଯାଇଥିଲା। ଏଥିରେ ଖଇରା ବ୍ଲକର ୩୭ ପଞ୍ଚାୟତର ସହସ୍ରାଧିକ ଯୁବକ ସାମିଲ ହୋଇଥିଲେ। ଖଇରା ରନ ଲେଖାଥିବା ପୋଷାକ ପିନ୍ଧି ଯୁବକମାନେ ଦୌଡିବାକୁ ପ୍ରସ୍ତୁତ ହୋଇଯାଇଥିଲେ। ବ୍ରହ୍ମାନନ୍ଦ ହସ୍ତଶିଳ୍ପ ଓ ସମାଜ କଲ୍ୟାଣ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଏହି ଗଣଦୌଡକୁ ପର୍ଯ୍ୟଟନ ସଂସ୍କୃତିମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ। ଖଇରା ତହସିଲଦାର ପ୍ରଦୀପ ସାହୁ ଉପସ୍ଥିତ ଥିଲେ। ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିବା ପାଇଁ ଚଳଚ୍ଚିତ୍ର ଅଭିନେତ୍ରୀ ପୁନମ ମିଶ୍ର ସାମିଲ ହୋଇଥିଲେ। ହୁଇସିଲ ବାଜିବା ମାତ୍ରେ ଯୁବକମାନେ ଦୌଡିବା ଆରମ୍ଭ କରିଥିଲେ। ଓଝାପୋଖରୀ, ମହତୀପୁର, କଣ୍ଟାପଡା, ବଟେଶ୍ୱର ଆଦି ଛକରେ ଯାତ୍ରୀମାନେ ଗଣଦୌଡରେ ସାମିଲ ହୋଇଥିବା ଯୁବକମାନଙ୍କୁ ସ୍ବାଗତ କରିଥିଲେ। ୮କି.ମି. ଅତିକ୍ରମ କରି ପ୍ରଥମେ ଖଇରାରେ ପହଞ୍ଚିଥିବା ପ୍ରଥମ ୧୦ଜଣ ଯୁବତୀ ଓ ୧୦ଜଣ ଯୁବକଙ୍କୁ ପୁରସ୍କୃତ କରାଯାଇଥିଲା। ଖଇରା ଦୁର୍ଗାମଣ୍ଡପଠାରେ ବ୍ରହ୍ମାନନ୍ଦ ଟ୍ରଷ୍ଟର ସଭାପତି ରବୀନ୍ଦ୍ର ମହାନ୍ତିଙ୍କ ପୌରୋହିତ୍ୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ଖଇରା ଆକାଂକ୍ଷା ପାୱାର ପରିଚାଳନା ନିର୍ଦ୍ଦେଶକ ବିପିନ ବିହାରୀ ଦାସ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ନେସ୍କୋର ପରିଚାଳକ ଶ୍ୟାମଳେନ୍ଦୁ ଜେନା ଓ ମନୋଜ କୁମାର ନାୟକ, ଆକାଂକ୍ଷା ନିର୍ଦ୍ଦେଶିକା ଚୈତାଳୀ ଦାସମହାପାତ୍ର, ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ବରିଷ୍ଠ ରାଜନେତା ଶରତ କୁମାର ଦାସ, ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ନାୟକ, ପ୍ରୋଜେକ୍ଟ ଲିଡର ସୁଶୀଲ କୁମାର ସାମଲ, ପଳସା ସରପଞ୍ଚ ପଙ୍କଜିନୀ ଦାସମହାପାତ୍ର, ଟ୍ରଷ୍ଟର ସମ୍ପାଦକ ଲକ୍ଷ୍ମୀକାନ୍ତ ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାକ୍ତନ ସରପଞ୍ଚ ମାନସ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଜ୍ଞାନଶ୍ରୀ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର,ଏଭିଏମ ସ୍କୁଲ, ଯୁବ ସ୍ବାଭିମାନ ମଞ୍ଚ, ଜନହିତ ଯୁବକ ସଂଘ, ଦିଲୀପ କର ପ୍ରମୁଖ ସହଯୋଗ କରିଥିଲେ।

Share