ନେତାନ୍ୟାହୁଙ୍କୁ ନିର୍ବାଚନୀ ଝଟକା

ଜେରୁଜେଲମ୍‌,୨୦-୯:ପଞ୍ଚମଥର ପାଇଁ କ୍ଷମତାସୀନ ହେବାକୁ ଅଣ୍ଟାଭିଡ଼ିଥିବା ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେନ୍‌ୟାମିନ୍‌ ନେତାନ୍ୟାହୁଙ୍କୁ ଗୁରୁବାର ନିର୍ବାଚନୀ ଝଟ୍‌କା ଲାଗିଛି। ନିର୍ବାଚନରେ ନେତାନ୍ୟାହୁଙ୍କ ନେତ୍ୱତ୍ୱାଧୀନ ଦକ୍ଷିଣପନ୍ଥୀ ଶାସକ ଦଳ ଲିକୁଡ୍‌ ପାର୍ଟିକୁ ୩୧ ଆସନ ମିଳିଛି। ଅନ୍ୟପକ୍ଷରେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବେନ୍ନି ଗାଂଜଙ୍କ ଦଳ ବ୍ଲ୍ୟୁ ଆଣ୍ଡ ହ୍ବାଇଟ୍‌ ପାର୍ଟିକୁ ୩୩ ଆସନରେ ସଫଳତା ମିଳିଛି। ଉଭୟ ଶାସକ ଓ ବିରୋଧୀ ଦଳକୁ ସଂଖ୍ୟାଗରିଷ୍ଠତା ମିଳି ନ ଥିବାରୁ ଦେଶରେ ରାଜନୈତିକ ଅଚଳାବସ୍ଥା ଓ ଝୁଲା ପାର୍ଲାମେଣ୍ଟ ସ୍ଥିତି ସୃଷ୍ଟି ହୋଇଛି। ତୃତୀୟ ଥର ନିର୍ବାଚନ ନ କରାଇବା ସପକ୍ଷରେ ଥିବା ନେତାନ୍ୟାହୁ ରାଜନୈତିକ ସଙ୍କଟ ଟାଳିବା ପାଇଁ ବେନ୍ନି ଗାଂଜଙ୍କୁ ମିଳିତ ସରକାର ଗଠନ ସକାଶେ ନିମନ୍ତ୍ରଣ କରିଛନ୍ତି।
ଇସ୍ରାଏଲ୍‌ରେ ଏପ୍ରିଲ ୯ରେ ସାଧାରଣ ନିର୍ବାଚନ ହୋଇଥିଲା। ଏଥିରେ ୧୨୦ ଆସନ ବିଶିଷ୍ଟ ନେସେଟ୍‌ରେ ଉଭୟ ଲିକୁଡ୍‌ ଏବଂ ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌କୁ ୩୫ଟି ଲେଖାଏ ଆସନ ମିଳିଥିଲା। କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ନ ମିଳିବାରୁ ଗତ ମଙ୍ଗଳବାର ପୁଣି ନିର୍ବାଚନ କରାଯାଇଥିଲା। ଏଥିରେ ମଧ୍ୟ କାହାକୁ ସରକାର ଗଠନ ପାଇଁ ଜନାଦେଶ ମିଳିନାହିଁ। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏକ ଭିଡିଓ ମେସେଜ୍‌ରେ କହିଛନ୍ତି, ସେ ଅନ୍ୟ ଦକ୍ଷିଣପନ୍ଥୀ ଓ ଅତି-ରକ୍ଷଣଶୀଳ ଦଳଗୁଡ଼ିକର ସହଯୋଗ ବିନା ମେଣ୍ଟ ସରକାର ଗଠନ କରିପାରିବେ ନାହିଁ। ଅନ୍ୟପକ୍ଷରେ ପୂର୍ବତନ ସେନାମୁଖ୍ୟ ଗାଂଜ ଦୁର୍ନୀତି ଅଭିଯୁକ୍ତ ନେତାନ୍ୟାହୁଙ୍କ ସହ ମିଶି ସରକାର ଗଠନ ପାଇଁ ଆଗ୍ରହୀ ନୁହନ୍ତି କହି ତାଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଦେଇନ୍ତି। ଏହାସହ ନିଜେ ପ୍ରଧାନମନ୍ତ୍ରୀ ହେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

Share