Categories: ଜାତୀୟ

ନେତୃତ୍ୱ ସଙ୍କଟ ଦୂର ନ କଲେ ବୁଡି ଯାଇପାରେ କଂଗ୍ରେସ

ନୂଆଦିଲ୍ଲୀ,୧୨।୭: ଦେଶର ପୂରାତନ ଦଳ ଭାବେ ଏକଦା ଦେଶର ପୂର୍ବରୁ ନେଇ ପଶ୍ଚିମ, ଉତ୍ତରରୁ ନେଇ ଦକ୍ଷିଣ ପର୍ଯ୍ୟନ୍ତ ନିଜର ଏକ ସ୍ବତନ୍ତ୍ରତା ବଜାୟ ରଖିଥିବା ବେଳେ ଆଜି ନିଜର ଅସ୍ତିତ୍ୱ ପାଇଁ ଲଢିବାକୁ ପଡୁଛି। ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଇସ୍ତଫା ଦେଇଥିଲେ। ଏବେ ଦଳ ନୂଆ ଅଧ୍ୟକ୍ଷ ଖୋଜିବା ପରିବର୍ତ୍ତେ ରାହୁଲଙ୍କୁ ପୁଣି ଥରେ ଅଧ୍ୟକ୍ଷ ହେବାକୁ ମନେଇବାରେ ଲାଗିଛି। ଏମିତି ଦୀର୍ଘ ପ୍ରାୟ ଏକ ମାସ ଧରି ଚାଲିବା ପରେ ଶେଷରେ ରାହୁଲ କାହା କଥା ନ ଶୁଣି ଇସ୍ତଫା ଦେଇଥିଲେ। ଆଉ ଏବେ କଂଗ୍ରେସର ଜାହାଜ ବିନା କ୍ୟାପଟେନରେ ଚାଲୁଥିବାରୁ ଏହାର ଅସ୍ତିତ୍ୱକୁ ନେଇ ଉଠିଛି ପ୍ରଶ୍ନ। ଗୋଆ ଓ କର୍ନାଟକରେ କଂଗ୍ରେସର ସ୍ଥିତିକୁ ଦେଖିଲେ ଏହା ବିନା କ୍ୟାପଟେନର ଜାହାଜ ବୋଲି ସହଜରେ ଅନୁମାନ କରାଯାଇ ପାରୁଛି। ଏପର୍ଯ୍ୟନ୍ତ ଯାହା ଲକ୍ଷ୍ୟ କରାଯାଇଛି ଦଳ ନୂଆ ଅଧ୍ୟକ୍ଷ ବାଛିବାକୁ ଗୁରୁତ୍ୱ ଦେଉ ନ ଥିବା ବେଳେ ଏପର୍ଯ୍ୟନ୍ତ ଏହାକୁ ନେଇ କାର୍ଯ୍ୟକାରିଣୀ ବୈଠକ ମଧ୍ୟ ଡାକି ନାହିଁ। ଏହାକୁ ଦେଖି ଏବେ ଆଲୋଚନା ହେଲାଣି ଯଦି କଂଗ୍ରେସ ଖୁବ୍‌ଶୀଘ୍ର ଅଧ୍ୟକ୍ଷ ପଦ ପୂରଣ ନ କରେ ତେବେ ଦେଶରେ ଦଳ ତା’ର ସତ୍ତା ହରାଇବ। ସୂଚନାଯୋଗ୍ୟ, ରାହୁଲ ଅଧ୍ୟକ୍ଷ ପଦ ଛାଡିବା ପରଠାରୁ ଏପର୍ଯ୍ୟନ୍ତ ଦଳର ସ୍ଥିତି ଦେଖିଲେ ଲାଗୁଛି ସ୍ବାଧିନ ଭାରତରେ ପ୍ରଥମ ଥର ବୋଧହୁଏ କଂଗ୍ରେସ ଏଭଳି ସ୍ଥିତି ଦେଇ ଗତି କରୁଛି। ଏମିତିକି ଗୁଲାମ ନବି ଆଜାଦ ମଧ୍ୟ କହିଦେଇଛନ୍ତି କି କଂଗ୍ରେସକୁ ମୂଳପୋଛ କରିବାକୁ ଯେମିତି ଭାଜପା ନେତୃତ୍ୱକୁ ଆସିଛି।

Share