Categories: ଜାତୀୟ

ନେପାଳରେ ୮ କେରଳ ପର୍ଯ୍ୟଟକ ମୃତ

ଥିରୁଭାନନ୍ଥପୁରମ,୨୨।୧(ପି.ଟି.): ଭାରତର ୧୫ ଜଣିଆ ଟିମ୍‌ ନେପାଳର ପୋଖରା ଗସ୍ତରେ ଯାଇଥିବାବେଳେ ସେଠାରେ ଶ୍ୱାସରୁଦ୍ଧ ହୋଇ ୮ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ସମସ୍ତେ କେରଳର ବୋଲି ଜଣାପଡ଼ିଛି। ନେପାଳର ଏକ ରିସୋର୍ଟରେ ସେମାନେ ଥିବାବେଳେ ଗ୍ୟାସ୍‌ ଲିକ୍‌ ଯୋଗୁ ଶ୍ୱାସରୁଦ୍ଧ ହୋଇ ଅସୁସ୍ଥ ହୋଇପଡ଼ିଥିଲେ। ସେମାନେ ରୁମ୍‌ରେ ଗ୍ୟାସ୍‌ ହିଟର ବ୍ୟବହାର କରୁଥିବାରୁ ଏଭଳି ହୋଇଥିଲା। ମୋଟ ୪ଟି ରୁମ୍‌ ୧୫ ପର୍ଯ୍ୟଟକଙ୍କ ଲାଗି ବୁକ୍‌ କରାଯାଇଥିବାବେଳେ ମୃତ୍ୟୁବରଣ କରିଥିବା ୮ ଜଣ ଗୋଟିଏ ରୁମ୍‌ରେ ରହୁଥିଲେ। ପ୍ରଥମେ ସେମାନଙ୍କୁ ହେଲିକପ୍ଟର ଯୋଗେ ହସ୍ପିଟାଲକୁ ନିଆଯାଇଥିବାବେଳେ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା ବୋଲି ଏସ୍‌ପି ସୁଶୀଲ କୁମାର ରାଠୋର ପ୍ରକାଶ କରିଛନ୍ତି। ମୃତକଙ୍କ ମଧ୍ୟରେ ୪ ଛୋଟ ପିଲା ଅଛନ୍ତି। ଏନେଇ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଦୁଃଖ ପ୍ରକାଶ କରିଥିବାବେଳେ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରୁଥିବା କହିଛନ୍ତି। ମୃତକମାନେ ହେଲେ ପ୍ରବୀଣ କ୍ରିଷ୍ଣନ୍‌ ନାୟାର, ଶରଣ୍ୟ ଶଶୀ, ଶ୍ରୀଭଦ୍ର ପ୍ରବୀଣ, ଆର୍ଚ୍ଚ ପ୍ରବୀଣ, ଅଭିନବ ଶରଣ୍ୟ ନାୟାର, ରଣଜିତ୍‌ କୁମାର ଅଦାଥୋଲାଥ ପୁନଥିଲ୍‌, ଇନ୍ଦୁ ଲକ୍ଷ୍ମୀ ପୀଥାମ୍ବରନ୍‌ ରଗଲାଥ ଓ ବୈଷ୍ଣବ ରଣଜିତ୍‌। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ ନେପାଳରେ ମାଲୟାଲି ପର୍ଯ୍ୟଟକଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଥିବାବେଳେ ବହିର୍ବ୍ୟାପାର ମନ୍ତ୍ରୀଙ୍କ ସହାୟତା ଲୋଡ଼ିଛନ୍ତି।

Share