Categories: ଜାତୀୟ

ନେପାଳ ସଂସଦରେ ସଂଶୋଧନ ବିଲ୍‌ ଆଗତ: ନୂଆ ମାନଚିତ୍ରରେ ଭାରତର ୩ ଅଞ୍ଚଳ

ନୂଆଦିଲ୍ଲୀ/କାଠମାଣ୍ଡୁ,୩୧।୫: ଭାରତ ଏବଂ ନେପାଳ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ନେପାଳ ସରକାର ରାଜନୈତିକ ମାନଚିତ୍ର ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍‌ ସଂସଦରେ ଆଗତ କରିଛନ୍ତି। ଏହାକୁ ନେପାଳ ଆଇନମନ୍ତ୍ରୀ ଶିବମାୟା ତୁମ୍ବାହମ୍ଫେ ଆଗତ କରିଛନ୍ତି। ନେପାଳର ନୂଆ ମାନଚିତ୍ରରେ ଭାରତର କଳାପାଣି, ଲିପୁଲେଖ ଏବଂ ଲିମ୍ପିୟାଧୁରା ଆଦି ୩ ଅଞ୍ଚଳକୁ ସାମିଲ୍‌ କରାଯାଇଛି। ମେ ୨୨ରେ ଏହି ବିଲ୍‌କୁ ନେପାଳ ସଂସଦରେ ପଞ୍ଜିକରଣ କରାଯାଇଥିଲା। ଏଥିରେ ୧୮୧୫ ସୁଗୌଲି ଚୁକ୍ତି ସମ୍ପର୍କରେ ଦର୍ଶାଯାଇଛି। ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶୁମଶେରଙ୍କ ଦ୍ୱାରା ଏସବୁ ଅଞ୍ଚଳ ନେପାଳ ରାଜ୍ୟର ବୋଲି ଉଲ୍ଲେଖ ହୋଇଥିବା କୁହାଯାଉଛି। ଏହି ବିଲ୍‌ ପାସ୍‌ ପାଇଁ ନେପାଳ ସଂସଦରେ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନର ଆବଶ୍ୟକତା ରହିଛି। ନେପାଳ ସଂସଦରେ ୨୭୫ ଆସନ ମଧ୍ୟରୁ ୧୭୪ ଆସନ ଶାସକ ନ୍ୟାଶନାଲ କଂଗ୍ରେସ ପାର୍ଟି ପାଖରେ ରହିଛି। ସେହିପରି ନେପାଳୀ କଂଗ୍ରେସ ପାଖରେ ୬୩ ଆସନ ଏବଂ ଜନତା ସମାଜବାଦୀ ପାର୍ଟି ପାଖରେ ୩୪ ଆସନ ରହିଛି। ବିଲ୍‌ ପାସ୍‌ ପାଇଁ ୧୮୪ ସଦସ୍ୟଙ୍କ ସମର୍ଥନ ମିଳିବା ଜରୁରୀ। ଶାସକ ଦଳ ପାଖରେ ସମର୍ଥନ ପାଇଁ ୧୦ ସଦସ୍ୟଙ୍କର ଆବଶ୍ୟକତା ରହିଛି।

Share