ନେପାଳ ସୀମାରେ ସଂକ୍ରମଣ ବଢ଼ାଇପାରେ ପାକ୍‌

ନୂଆଦିଲ୍ଲୀ, ୧୬।୪: ଭାରତ-ନେପାଳରେ ସୀମାରେ କରୋନା ଭୂତାଣୁ ସଂକ୍ରମଣ ବଢ଼ାଇବା ଲାଗି ପାକିସ୍ତାନ ଷଡ଼ଯନ୍ତ୍ର କରିପାରେ ବୋଲି ଭାଜପା ଏମ୍‌ପି ବିଜୟ ଦୁବେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହି କୁଷିନଗର ଏମ୍‌ପିଙ୍କ କହିବା ଅନୁଯାୟୀ, ନେପାଳ ସୀମା ତାଙ୍କ ଜିଲାକୁ ଲାଗି ରହିଛି। ଏଠାକୁ ହରିହରପୁର, ନାରାୟଣପୁର, ମରିଚାଓ୍ବା ଆଦି ଗ୍ରାମରୁ ଏଠାକୁ ଲୋକଙ୍କର ଯିବାଆସିବା ଲାଗି ରହିଛି। ସୁସ୍ତ ଓ ପାର୍ସା ଜଙ୍ଗଲ ଓ ନେପାଳର କେତେକ ଗ୍ରାମ ଏହାକୁ ଲାଗି ରହିଛି। ପାର୍ସାର ମୌଲବୀମାନଙ୍କ ସହଯୋଗରେ ପାକିସ୍ତାନ ସେଠାରେ କରୋନା ସଂକ୍ରମଣ କରାଇବାକୁ ଯୋଜନା କରୁଛି। ଏନେଇ ଗୋଇନ୍ଦା ରିପୋର୍ଟ ମିଳିଛି ଓ ସେ ଜିଲା ଅଧିକାରୀମାନଙ୍କୁ ସତର୍କ କରାଇଦେଇଥିବା କହିଛନ୍ତି। ଉପରୋକ୍ତ ଗ୍ରାମ ଦେଇ ଭାରତୀୟ ଅଞ୍ଚଳକୁ ଆସୁଥିବା ଲୋକେ କରୋନା ସଂକ୍ରମଣ କରାଇପାରନ୍ତି ବୋଲି ସେ ଆଶଙ୍କା କରିଛନ୍ତି। ଉତ୍ତରପ୍ରଦେଶ ପୋଲିସ ଅନ୍ତର୍ଜାତୀୟ ସୀମାକୁ ସିଲ୍‌ କରିଥିଲେ ହେଁ ସେ ଜିଲାପାଳ ଓ ଏସ୍‌ପିଙ୍କୁ ସତର୍କ କରାଇଛନ୍ତି। ରବିବାର ଉକ୍ତ ଅଞ୍ଚଳରୁ ଜଣେ ନେପାଳ ନାଗରିକଙ୍କୁ ଧରାଯାଇଛି। ଜିଲା ସୀମା ସିଲ୍‌ କରାଯିବା ସହ ବାହାର ଲୋକଙ୍କ ଯାତାୟାତ ଉପରେ ପୋଲିସ କଡ଼ା ନଜର ରଖିଥିବା କୁଶିନଗର ଏସ୍‌ପି ବିନୋଦ କୁମାର ମିଶ୍ରା କହିଛନ୍ତି।

Share