Categories: ଖେଳ

ନେମାରଙ୍କ ପାଇଁ ବାଲେ, ଜେମ୍ସଙ୍କ ସହ ୧୦୦ ନିୟୁତ

ପ୍ୟାରିସ,୨୩।୮(ପିଟି): ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) ଷ୍ଟାର ଷ୍ଟ୍ରାଇକର ନେମାର ଜୁନିୟରଙ୍କୁ ଦଳରେ ନେବା ପାଇଁ ବହୁ ଦଳ ଆଗଭର ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛି ସ୍ପାନିଶ କ୍ଲବ ରିୟଲ ମାଡ୍ରିଡ୍‌। ନେମାରଙ୍କୁ ଦଳରେ ସାମିଲ କରିବା ଲାଗି ମାଡ୍ରିଡ୍‌ ତା’ର ଅନ୍ୟତମ ସଫଳ ଷ୍ଟ୍ରାଇକର ଗାରେଥ ବାଲେ, ଆଟାକିଂ ମିଡ୍‌ଫିଲ୍ଡର ଜେମ୍ସ ରୋଡ୍ରିଗୁଏଜ ଓ ଗୋଲକିପର କିଲୋର ନାଭାସଙ୍କ ସହ ୧୦୦ ନିୟୁତ ୟୁରୋ ଅର୍ଥ ଦେବା ପାଇଁ ପ୍ରସ୍ତାବ ଦେଇଥିଲା। ହେଲେ ଏଭଳି ଏକ ବଡ଼ ପ୍ରସ୍ତାବକୁ ଲିଗ୍‌ ଓ୍ବାନ କ୍ଲବ ପିଏସ୍‌ଜି ପ୍ରତ୍ୟାଖ୍ୟାନ କରି ଦେଇଥିବା ଫ୍ରେଞ୍ଚ ଖବରକାଗଜ ଏଲକୁଇପେର ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିରେ ମାଡ୍ରିଡ୍‌ ବ୍ୟତୀତ ଲା ଲିଗା ଲିଗ୍‌ ଚାମ୍ପିୟନ ବାର୍ସିଲୋନା ଓ ସିରି ଏ’ ଚାମ୍ପିୟନ ଜୁଭେଣ୍ଟସ ମଧ୍ୟ ନେମାରଙ୍କ ପାଇଁ ଇଚ୍ଛୁକ ଥିବା ଦର୍ଶାଯାଇଛି। ଜୁଭେଣ୍ଟସ ପାଉଲୋ ଡିବାଲାଙ୍କ ସହ ଏକ ନିର୍ଦ୍ଦିଷ୍ଟ ଅର୍ଥରାଶି ଦେବା ପାଇଁ ପ୍ରସ୍ତାବ ଦେଇଛି। ସେହିଭଳି ବାର୍ସିଲୋନା ନେମାରଙ୍କୁ ଚଳିତ ସିଜନରେ ଲୋନ ଆକାରରେ ନେବାକୁ ଚାହୁଁଛି। ଯାହା ଫଳରେ ସ୍ପାନିଶ ଦଳକୁ ୨୦୨୦-୨୧ ସିଜନରେ ବ୍ରାଜିଲ ଷ୍ଟାରଙ୍କୁ ୧୫୦ ନିୟୁତ ୟୁରୋ ଦେବାକୁ ପଡ଼ିବ। ଏହି ୩ କ୍ଲବଙ୍କ ନିକଟରେ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ସମୟ ରହିଛି। ଏହାପରେ କୌଣସି ଦଳର ଖେଳାଳିଙ୍କ ସହ ଟ୍ରାନ୍ସଫର ଲାଗି ଚୁକ୍ତି ହୋଇପାରିବ ନାହିଁ।

Share