Categories: ଖେଳ

ନେମାରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ମହିଳାଙ୍କ ନାମରେ ଧମକାଇବା ମାମଲା

ସାଓ ପାଉଲୋ,୧୧।୯- ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ନେମାର ଜୁନିୟରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ମହିଳାଙ୍କ ନାମରେ ସାଓ ପାଉଲୋ ରାଜ୍ୟର ପୋଲିସ ନିକଟରେ ଧମକ ଦେଇ ଅର୍ଥ ଆଦାୟ, ଠକାମି ଭଳି ବହୁ ମାମଲା ଦାଏର କରିଛି। ଏହା ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) ଫରଓ୍ବାର୍ଡ ନେମାରଙ୍କୁ ଆଶ୍ୱସ୍ତି ଦେଇଛି। ପୂର୍ବତନ ବ୍ରାଜିଲ ଦଳର ଅଧିନାୟକ ନେମାରଙ୍କ ନାମରେ ନାଜିଲା ଟ୍ରିନଡାଡେ ବଳାତ୍କାର ଅଭିଯୋଗ ଆଣିଥିଲେ। କିନ୍ତୁ ଦୁହେଁ ସହମତି କ୍ରମେ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ନେମାରଙ୍କ ଓକିଲ ଦର୍ଶାଇଥିଲେ। ପ୍ରମାଣ ଅଭାବରୁ ଗତ ଅଗଷ୍ଟରେ ମାମଲାକୁ ବନ୍ଦ କରି ଦିଆଯାଇଥିଲା। ସାଓ ପାଉଲୋ ରାଜ୍ୟର ପୋଲିସ କହିଛି, ଟ୍ରିନଡାଡେଙ୍କ ପୂର୍ବତନ ସ୍ବାମୀ ଇଷ୍ଟିଭେନ୍ସ ଆଲଭେସଙ୍କ ନାମରେ ଠକାମି ଅଭିଯୋଗ ଆସିଛି। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଟ୍ରିନଡାଡେଙ୍କ ଓକିଲ। ଉଲ୍ଲେଖଥାଉ କି, ନେମାରଙ୍କ ନାମରେ ଆସିଥିବା ବଳାତ୍କାର ମାମଲା ସମଗ୍ର ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା। ଯାହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରକୁ ବାଧା ଦେବା ସହ ସ୍ପନସରଙ୍କ ମୁଣ୍ଡବିନ୍ଧା ବଢ଼ାଇ ଦେଇଥିଲା।

Share