ନେଳିଆବାଗ୍‌ର ୬୧ନଂ ଆକ୍ରାନ୍ତ ପାଲଟିଛନ୍ତି ‘ସୁପର୍‌ ସ୍ପ୍ରେଡର୍‌’; ୧୨ଜଣଙ୍କୁ କଲେଣି ସଂକ୍ରମିତ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ବାଲେଶ୍ୱର ନେଳିଆବାଗର ୬୧ନଂ କରୋନା ପଜିଟିଭ୍‌ ବ୍ୟକ୍ତି ‘ସୁପର୍‌ ସ୍ପ୍ରେଡର୍‌’ ପାଲଟିଛନ୍ତି। ମଙ୍ଗଳବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳର ଆଉ ୫ଜଣଙ୍କ ତଥ୍ୟ ଦିଆଯିବା ପରେ ଏହା ସ୍ପଷ୍ଟ ହୋଇଛି। ବ୍ୟକ୍ତିଜଣଙ୍କ ଏହି ୫ରୁ ୪ଜଣଙ୍କୁ ସଂକ୍ରମିତ କରିଛନ୍ତି। ପୂର୍ବରୁ ମଧ୍ୟ ସେ ୮ଜଣଙ୍କୁ ସଂକ୍ରମିତ କରିଥିଲେ। ଏଣୁ ଇତିମଧ୍ୟରେ ମୋଟ ୧୨ଜଣଙ୍କୁ ସେ ସଂକ୍ରମିତ କଲେଣି।

୧୦୪,୧୦୫,୧୦୬,୧୦୭ ନଂ ଆକ୍ରାନ୍ତ ୬୧ନଂ ଆକ୍ରାନ୍ତଙ୍କ ପାଖ ପଡ଼ୋଶୀ। ଏହାଛଡ଼ା ୧୦୮ନଂ ଆକ୍ରାନ୍ତ ୭୯ନଂଙ୍କ ପଡ଼ୋଶୀ ବୋଲି ଜଣାପଡ଼ିଛି। ତେବେ ୬୧ନଂଙ୍କ ସଂସ୍ପର୍ଶରେ ଆସି ୭୯ନଂ ଆକ୍ରାନ୍ତ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଣୁ ପରୋକ୍ଷରେ ୬୧ନଂ ଆକ୍ରାନ୍ତ ହିଁ ସୁପର୍‌ ସ୍ପ୍ରେଡ୍‌ର ବୋଲି କୁହାଯାଉଛି।

ସେହିଭଳି ନେଳିଆବାଗ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖାଯାଉଛି। ବିଶେଷକରି ୬୧ନଂ ଆକ୍ରାନ୍ତଙ୍କ ଯୋଗୁ ଏପରି ହେଉଥିବା ଚର୍ଚ୍ଚା ହେଉଛି।

Share