ନୋଟିସ୍‌ ପରେ ଦୋକାନ ସ୍ଥାନାନ୍ତର କଲେ ବ୍ୟବସାୟୀ

ଆନନ୍ଦପୁର,୫ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜ୍‌ଛକ ରାସ୍ତା ନିର୍ମାଣରେ ସୃଷ୍ଟି ହେଉଥିବା ସମସ୍ୟା ନେଇ ସରକାରୀ ଜାଗାରେ ଗଢ଼ି ଉଠିଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ଉଚ୍ଛେଦ ନିମନ୍ତେ ମଙ୍ଗଳବାର ପୌରପରିଷଦ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା। ଏହି ନୋଟିସ୍‌ ଜରିଆରେ ଆଗାମୀ ୨୪ ଘଣ୍ଟା ଭିତରେ ବ୍ୟବସାୟ କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଗୁରୁବାର ସକାଳେ ପୌରପରିଷଦ ପକ୍ଷରୁ ବ୍ରିଜଛକ ଠାରେ ସରକାରୀ ଜାଗାରେ ଜବର ଦଖଲ କରିଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡିକୁ ଉଚ୍ଛେଦ କରାଯିବ। ଏଥିପାଇଁ ୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ସହିତ ୬ ଜଣ ମାଜିଷ୍ଟ୍ରେଟ୍‌, ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଶାସନର ଉଚ୍ଛେଦକୁ ନେଇ ସଜବାଜ ପରେ ବ୍ୟବସାୟୀମାନେ ନିଜେ ନିଜେ ବ୍ୟବସାୟ ପ୍ରତିଷ୍ଠାନକୁ ଭାଙ୍ଗି ଅନ୍ୟତ୍ର ସ୍ଥାନାନ୍ତର କରୁଥିବା ଦେଖାଯାଇଛି। ଏହି ଉଚ୍ଛେଦରେ ଅନ୍ୟୁନ ୩୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀ ପ୍ରଭାବିତ ହେବେ। ଅନ୍ୟପକ୍ଷରେ ପ୍ରଶାସନର ଏଭଳି ତରବରିଆ ନିଷ୍ପତ୍ତିକୁ ବ୍ୟବସାୟୀମାନେ ନାପସନ୍ଦ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ପୂର୍ବରୁ ବ୍ରିଜଛକରେ ଉଚ୍ଛେଦ କରାଯାଇଥିବାବେଳେ ବ୍ୟବସାୟୀମାନଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା କରାଯାଇଥିଲା। ପୁନର୍ବାର ସଂପୃକ୍ତ ବ୍ୟବସାୟୀମାନେ ବ୍ରିଜଛକରେ ନିଜର ବ୍ୟବସାୟ ଆରମ୍ଭ କରିବା ନେଇ ସ୍ଥାନୀୟ ଗ୍ରାମବାସୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାସ୍ତା କାର୍ଯ୍ୟକୁ ଖୁବ୍‌ଶୀଘ୍ର ତ୍ୱରାନ୍ବିତ କରିବା ପାଇଁ ପ୍ରଶାସନିକସ୍ତରରେ ଉଚ୍ଛେଦ ପ୍ରକ୍ରିୟା ଜୋର୍‌ଦାର କରାଯିବ ବୋଲି ସୂଚନା ମିଳିଛି।