ନୋଟିସ୍‌ ଦେବାକୁ ଆସି ପୋଲିସ ହଟହଟା

ପଟ୍ଟାମୁଣ୍ଡାଇ,୧୦ା୧୦ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୋଲିସ ଶନିବାର ବଡ଼ମହନପୁର ପଞ୍ଚାୟତ କଣିପାଳ ଗାଁକୁ ୧୦୭ ଦଫା ନୋଟିସ ଦେବାକୁ ଆସି ହଟହଟା ହୋଇଥିବା ଭାଇରାଲ ଭିଡିଓରୁ ଜଣାପଡ଼ିଛି। ଏପରିକି ସମନ ଦେବାକୁ ଆସି ପୋଲିସ କାହିଁକି ଲାଞ୍ଚ ମାଗୁଛନ୍ତି ବୋଲି ପ୍ରଶ୍ନ କରଛନ୍ତି। ଏଥିସହ ପୋଲିସ ଆସିଥିବା ଗାଡ଼ିର ଚାବି ଛଡ଼ାଇ ନେଇ ବାବୁଙ୍କୁ ଘେରିଯାଇଥିଲେ। ଏ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
୨୨ରେ କୃଷକମାନେ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିଥିଲେ। ବିକ୍ଷୋଭରେ ରାଜ୍ୟର ବହୁ କୃଷକ ସାମିଲ ହୋଇଥିବା ବେଳେ ପ୍ରାୟ ୬ଶହରୁ ଊର୍ଦ୍ଧ୍ୱ ଚାଷୀଙ୍କ ନାମରେ କମିଶନରେଟ୍‌ ପୋଲିସ ପକ୍ଷରୁ ୧୦୭ ଦଫାରେ ମାମଲା ରୁଜୁ ହୋଇଛି। ସେହିପରି କେନ୍ଦ୍ରାପଡ଼ା ଜିଲାରୁ ପ୍ରାୟ ୭୫ ଜଣଙ୍କ ବିରୋଧରେ ଏହି ମାମଲା ମଧ୍ୟ ରୁଜୁ ହୋଇଛି। ଏ ନେଇ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଣିପାଳ ଗାଁର ସମ୍ପୃକ୍ତ ଥିବା କେତେଜଣ ଚାଷୀଙ୍କୁ କମିଶନରେଟ୍‌ ପୋଲିସ ପକ୍ଷରୁ ମଧ୍ୟ ସମନ କରାଯାଇଛି। ପୋଲିସ କର୍ମଚାରୀ କଣିପାଳ ଗାଁର କେତେଜଣ ଚାଷୀଙ୍କୁ ସମନ ଦେବାକୁ ଆସି ଟଙ୍କା ମାଗିଥିବା ଅଭିଯୋଗ ହୋଇଛି। ଏହା ଜାଣି କେତେଜଣ ଚାଷୀ ପ୍ରତିବାଦ କଲା ପରେ ପୋଲିସ ବାବୁ ଜଣଙ୍କ ହଟହଟା ହେବା ସହ ଲାଞ୍ଚ ମାଗୁ ନ ଥିଲି, ଖରାରେ ବୁଲୁଥିବାରୁ ଖୁସିରେ ଶହେ ଦୁଇ ଶହ ଟଙ୍କା ଦେବାକୁ କହିଥିଲି ବୋଲି କହିଥିଲେ। କେତେଜଣ ଚାଷୀଙ୍କଠାରୁ ନେଇଥିବା ଟଙ୍କା ମଧ୍ୟ ଫେରାଇ ଦେଇଛନ୍ତି ବୋଲି ଚାଷୀ ଅଭିରାମ ମଳିକ, ସୁନାକର ଦା, ଦୋଳଗୋବିନ୍ଦ ସାହୁ, ନବନିର୍ମାଣ କୃଷକ ସଙ୍ଗଠନର ଉପଦେଷ୍ଟା ଦାଶରଥୀ ସାହୁ ପ୍ରମୁଖ କହିଛନ୍ତି। ତେବେ ଟଙ୍କା ଫେରାଇବା ପରେ ମଧ୍ୟ ଗ୍ରାମବାସୀ ଶାନ୍ତ ପଡ଼ି ନ ଥିଲେ। ପୋଲିସ ବାବୁ ଯେଉଁ ଗାଡ଼ିରେ ଆସିଥିଲେ ସେହି ଗାଡ଼ିର ଚାବିକୁ ଛଡ଼ାଇନେଇ ଆଇଆଇସି ଓ ଏସ୍‌ପି ଆସିଲେ ଚାବି ଦେବେ ବୋଲି କହିଥିଲେ। ଲାଞ୍ଚ ମାଗି ଗାଁ ମଝିରେ ପୋଲିସ ହଟହଟା ହେବାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି; ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏ ନେଇ ଏସ୍‌ଡିପିଓ କ୍ଷମାସାଗର ପଣ୍ଡାଙ୍କୁ ପଚାରିବାରୁ ଏ ବିଷୟରେ ଅନୁଧ୍ୟାନକରି ରିର୍ପୋଟ ଦିଆଯାଇଛି ବୋଲି ସେ କହିଛନ୍ତି।