ମୁମ୍ବାଇ,୨୭-୧୨: ଟାଟା ସନ୍ସର ଅଧ୍ୟକ୍ଷ ଏବଂ ଟାଟା ଗ୍ରୁପର ଅନ୍ୟ ୩ କମ୍ପାନୀର ବୋର୍ଡରେ ସାମିଲ ହେବା ନେଇ ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରି ଇଛୁକ ନୁହନ୍ତି। ମିସ୍ତ୍ରି ଏଥିଲାଗି ଏକ ନୋମିନି ନିର୍ଦ୍ଦେଶକ ନିଯୁକ୍ତ କରିପାରନ୍ତି ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଏକ ବିବାଦୀୟ ସ୍ଥିତିରେ ମିସ୍ତ୍ରିଙ୍କୁ ୨୦୧୬ ଅକ୍ଟୋବରରେ ଟାଟା ସନ୍ସର ଅଧ୍ୟକ୍ଷ ପଦବୀରୁ ବିଦା କରାଯାଇଥିଲା। ଏହା ପରେ ତାଙ୍କୁ ଗ୍ରୁପର ଅନ୍ୟ ୩ କମ୍ପାନୀରୁ ଇସ୍ତଫା ଦେବାକୁ ପଡିଥିଲା। ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ ୧୮ ଡିସେମ୍ବରରେ ମିସ୍ତ୍ରିଙ୍କ ସପକ୍ଷରେ ରାୟ ଶୁଣାଇବା ସହ ତାଙ୍କୁ ଟାଟାସନ୍ସର ଅଧ୍ୟକ୍ଷ ପଦବୀରେ ପୁନଃ ଅବସ୍ଥାପିତ କରାଇବା ଲାଗି କହିଥିଲେ। ଏହି ରାୟ ବିରୋଧରେ ଟାଟା ଗ୍ରୁପ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିପାରେ। ଏଥିଲାଗି ଗ୍ରୁପକୁ ୪ ସପ୍ତାହ ସମୟ ମିଳିଛି।
ରିପୋର୍ଟ ମୁତାବକ ସୁପ୍ରିମକୋର୍ଟ ମିସ୍ତ୍ରିଙ୍କ ସପକ୍ଷରେ ରାୟ ଶୁଣାଇବା ପରେ ମଧ୍ୟ ମିସ୍ତ୍ରିଙ୍କୁ ଅଧ୍ୟକ୍ଷ ହେବା ନେଇ ଆଶା ଦେଖାଯାଉ ନାହିଁ। କାରଣ ସେ ନିଜେ ହିଁ ଏହି ପଦବୀ ଲାଗି ଇଛୁକ ନୁହନ୍ତି। ଅଧ୍ୟକ୍ଷ ପଦବୀରେ ତାଙ୍କର କାର୍ଯ୍ୟକାଳ ଆଉ ୫ ମାସ ବାକି ରହିଛି। ମିସ୍ତ୍ରି ୨୦୦୬ରେ ଟାଟା ସନ୍ସର ବୋର୍ଡରେ ଯୋଗ ଦେଇଥିଲେ। ରତନ ଟାଟାଙ୍କ ଅବସର ପରେ ମିସ୍ତ୍ରି ଟାଟା ସନ୍ସର ଅଧ୍ୟକ୍ଷ ଭାବେ ଅବସ୍ଥାପିତ ହୋଇଥିଲେ। ୨୦୧୬ ଅକ୍ଟୋବରରେ ତାଙ୍କ ଉପରେ ବୋର୍ଡର ଅବିଶ୍ୱାସ ପ୍ରସ୍ତାବରେ ତାଙ୍କୁ ହଟାଯାଇଥିଲା। ଏହି ମାମଲାରେ ପ୍ରଥମେ ମିସ୍ତ୍ରି ଗ୍ରୁପ ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲରେ ଚ୍ୟାଲେଞ୍ଜ କରିଥିଲେ। ହେଲେ ମାମଲା ହାରିବା ପରେ ଏହାକୁ ପୁନଶ୍ଚ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହେବା ପରେ ଟ୍ରିବ୍ୟୁନାଲ ମିସ୍ତ୍ରିଙ୍କ ସପକ୍ଷରେ ରାୟ ଶୁଣାଇଥିଲେ।