‘ନୋ ଏଣ୍ଟ୍ରି’ ସିକ୍ୱେଲରୁ ବାଦ୍‌ ପଡ଼ିଲେ ସଲ୍‌ମାନ

ମୁମ୍ବାଇ: ୨୦୦୫ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ନୋ ଏଣ୍ଟ୍ରି’ରେ ‘ପ୍ରେମ୍‌’ ଭୂମିକାରେ ଦର୍ଶକଙ୍କ ମନ କିଣିଥିଲେ ସଲ୍‌ମାନ। ଏହାର ସିକ୍ୱେଲ ନିର୍ମାଣ ହେବାକୁ ଥିବାବେଳେ ସଲ୍‌ମାନଙ୍କ ପ୍ରଶଂସକଙ୍କ ପାଇଁ କିନ୍ତୁ ଏକ ଖରାପ ଖବର ରହିଛି। ଶୁଣିବାକୁ ମିଳିଛି ଯେ, ଏହାର ସିକ୍ୱେଲରେ ସଲ୍‌ମାନ ଅଭିନୟ କରିବେ ନାହିଁ। ସେ ଏହି ଫିଲ୍ମରୁ ବାଦ୍‌ ପଡ଼ିଥିବା ବିଷୟରେ ନିଜେ ଅନିଲ କପୁର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଅନୀସ୍‌ ବାଜ୍‌ମୀଙ୍କ ୧୪ ବର୍ଷ ତଳେ ମୁକ୍ତିଲାଭ କରିଥିବା ଫିଲ୍ମ ‘ନୋ ଏଣ୍ଟ୍ରି’ର ସିକ୍ୱେଲକୁ ମନା କରିଦେଇଛନ୍ତି ସଲ୍‌ମାନ। ଏହି ସିକ୍ୱେଲର ନାମ ‘ନୋ ଏଣ୍ଟ୍ରି ମେ ଏଣ୍ଟ୍ରି’ ରଖାଯାଇଛି ବୋଲି ଏହାର ରାଇଟର୍‌ ତଥା ଡାଇରେକ୍ଟର ଅନୀସ୍‌ ବାଜ୍‌ମୀ କହିଛନ୍ତି। ଏହାର ସିକ୍ୱେଲକୁ ବୋନି କପୁର ପ୍ରଡ୍ୟୁସ୍‌ କରୁଛନ୍ତି। ତେବେ ସେ ନିଭାଇଥିବା ପ୍ରେମ୍‌ ଚରିତ୍ର ଲାଗି ଏପର୍ଯ୍ୟନ୍ତ କେହି ଅଭିନେତା ସିଲେକ୍ଟ ହୋଇ ନ ଥିବା ବୋନିଙ୍କ ଭାଇ ଅନିଲ କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ, ପ୍ରେମ୍‌ ଚରିତ୍ର ପାଇଁ ଅଭିନେତାଙ୍କ ସନ୍ଧାନ ହୋଇଯିବା ପରେ ଫିଲ୍ମର ସୁଟିଂ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଫିଲ୍ମରେ ପୂର୍ବରୁ ତିନି ଜଣ ହିରୋଇନ ଏବଂ ହିରୋ ଥିବାବେଳେ ଏହାର ସିକ୍ୱେଲରେ ଦଶ ଜଣ ହିରୋ ଏବଂ ଛଅ ଜଣ ହିରୋଇନ ରହିବେ। କେବଳ ଏକ୍ସଟ୍ରା ମାରିଟାଲ ଆଫାୟର୍ସ ଉପରେ ନୁହେଁ ବରଂ ସ୍ବାମୀ- ସ୍ତ୍ରୀ ମଧ୍ୟରେ ଥିବା ଖଟା, ମିଠା ସମ୍ପର୍କକୁ ନେଇ ଏହି ଫିଲ୍ମଟିର କାହାଣୀ ଆଧାରିତ ହେବ ବୋଲି ନିର୍ଦ୍ଦେଶକ ଅନୀସ୍‌ କହିଛନ୍ତି।

Share