ନୋ କିସ୍‌ ପ୍ଲିଜ୍‌…

୨୭ ଡିସେମ୍ବର ଅର୍ଥାତ୍‌ ଶୁକ୍ରବାର ଅଭିନେତା ସଲମାନ ଖାଁଙ୍କ ଜନ୍ମଦିନ। ଏହି ଖାସ୍‌ ଦିନରେ ତାଙ୍କ ସହିତ ଜଡ଼ିତ କିଛି ସିକ୍ରେଟ୍‌ ବିଷୟରେ ଜାଣନ୍ତୁ…
ସଲମାନ୍‌ ଅନେକ ରୋମାଣ୍ଟିକ୍‌ ଫିଲ୍ମରେ ଅଭିନୟ କରିଛନ୍ତି ସତ, ମାତ୍ର କୌଣସି ଫିଲ୍ମରେ ଅଭିନେତ୍ରୀଙ୍କୁ ଆଜିପର୍ଯ୍ୟନ୍ତ କିସ୍‌ କରିନାହାନ୍ତି। ବିନା ରୋମାଣ୍ଟିକ୍‌ ସିନ୍‌ରେ ମଧ୍ୟ ତାଙ୍କ ଫିଲ୍ମ ଭଲ ବ୍ୟବସାୟ କରିଥିବା ନଜର ରହିଛି। ସଲମାନ୍‌ ବଲିଉଡ୍‌ରେ ଜଣେ ରୋମାଣ୍ଟିକ୍‌ ହିରୋ କିନ୍ତୁ  କିସ୍‌ ସିନ୍‌କୁ ପସନ୍ଦ କରନ୍ତିନି। ଏହି ନିୟମ ସେ ଦୀର୍ଘଦିନ ହେଲା ମାନିଆସୁଛନ୍ତି। ସଲମାନ୍‌ଙ୍କ ଯେ କୌଣସି ଫିଲ୍ମ ଦେଖନ୍ତୁ ନା କାହିଁକି କିସ୍‌ ସିନ୍‌କୁ ସେ ନିଜେ ମନା କରିଦେଇଥା’ନ୍ତି।

କେବଳ ସୁରଜ ବଡ଼ଜାତ୍ୟାଙ୍କ ଫିଲ୍ମ ‘ମୈନେ ପ୍ୟାର୍‌ କିୟା’ରେ ଲିପ୍‌ ଲକ୍‌ ସିନ୍‌ ଥିଲା। ମାତ୍ର ସଲମାନ୍‌ ଭାଗ୍ୟଶ୍ରୀଙ୍କୁ ଛୁଇଁ ବି ନ ଥିଲେ। ଏହା ପଛରେ ଏକ କାରଣ ରହିଛି। ଭାଗ୍ୟଶ୍ରୀ ଏବଂ ସଲମାନ୍‌ଙ୍କୁ କିସ୍‌ ସିନ୍‌ କରିବା ପାଇଁ ସୁରଜ ଖୁବ୍‌ ମନାଇଥିଲେ। କିନ୍ତୁ ଏହି ସିନ୍‌ କରିବାକୁ ଦୁଇଜଣ ଯାକ କେହି ପ୍ରସ୍ତୁତ ନ ଥିଲେ। ଶେଷରେ ସୁରଜ ଏକ କାଚ ଗ୍ଲାସ ମଝିରେ ରଖି ଶଟ୍‌ଟିକୁ ଓକେ କରିଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ସଲମାନ୍‌ କୌଣସି ଫିଲ୍ମରେ ହିରୋଇନ୍‌ଙ୍କୁ କିସ୍‌ କରିନାହାନ୍ତି। ଫିଲ୍ମକୁ ଆସିବା ପୂର୍ବରୁ ସେ ଚୁକ୍ତି କରିଥା’ନ୍ତି ନୋ କିସ୍‌ ପ୍ଲିଜ୍‌। ତାଙ୍କର ଏହି ନିୟମକୁ ଆଜି ପର୍ଯ୍ୟନ୍ତ କେହି ଭାଙ୍ଗି ପାରିନାହାନ୍ତି। ଫିଲ୍ମର ସ୍କ୍ରିପ୍ଟ ପଢ଼ି ସେ କିସ୍‌ ସିନ୍‌ ନ କରିବାକୁ ନିଷ୍ପତ୍ତି ନେଇଥା’ନ୍ତି। ତାଙ୍କ ମତରେ ପରିବାର ସହ ବସି ଫିଲ୍ମ ଦେଖିବାକୁ ପଡ଼େ। ତେଣୁ ଏମିତି ସିନ୍‌ ଠିକ୍‌ ନୁହେଁ।

Share