ନୋ ପାର୍କିଂ ସ୍ଥାନରେ ଟ୍ରକ ପାର୍କିଂ

କେନ୍ଦୁଝର, ୧୦ା୭ (ସ୍ବ.ପ୍ର.)-କେନ୍ଦୁଝର ସହର ଦେଇ ଯାଇଥିବା ଏନଏଚ ୪୯ ରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ହେଁ ପ୍ରଶାସନର ଚେତା ପଶୁନି ା ସହର ମଧ୍ୟରେ ବହୁ ଦୁର୍ଘଟଣା ଘଟି ନିରୀହ ଜୀବନ ଗୋଟିଏ ପରେ ଗୋଟିଏ ଚାଲିଯାଉଥିଲେ ହେଁ ରୋକିବା ପାଇଁ ପ୍ରଶାସନର ଆନ୍ତରିକତା ଥିବା ମନେ ହେଉନାହିଁ। ଫଳରେ କେନ୍ଦୁଝର ସହରର ଏହି ରାସ୍ତା ମରଣଯନ୍ତାରେ ପରିଣତ ହୋଇଥିବା ବେଳେ ସାଧାରଣ ଲୋକ ଯାତାୟାତ କରିବାକୁ ସୁରକ୍ଷା ମଣୁନାହାନ୍ତି। ଦୁର୍ଘଟଣାର କାରଣ ବିପର୍ଯ୍ୟସ୍ତ ରାସ୍ତା ଓ କଟକଣା ଅଭାବରୁ ସହର ଦେଇ ବହୁ ସଂଖ୍ୟାରେ ଲୁହାପଥର ବୋଝେଇ ଟ୍ରକ ଯାତାୟତ ବୋଲି କୁହାଯାଉଛି ା ଜୁଡିଆ ନିକଟରେ ଯାଇଥିବା ଏନଏଚ ୨୦ କୁ ସର୍ଭିସ ରୋଡ ନ ଥିବାରୁ କେନ୍ଦୁଝର ସହର ଦେଇ ଲୁହାପଥର ବୋଝେଇ ଟ୍ରକ ଚଳପ୍ରଚଳ କରୁଛି। ତେବେ ଅଦ୍ୟାବଧି ସର୍ଭିସ ରୋଡ ନିର୍ମାଣ କରାଯାଉ ନ ଥିବା ଏବଂ ସର୍ଭିସ ରୋଡ ନିର୍ମାଣ ପର୍ଯ୍ୟନ୍ତ ଦିନ ବେଳା ଲୁହାପଥର ପରିବହନ ଉପରେ କଟକଣା କରାଯାଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ମତ ପ୍ରକାଶ ପାଉଛି ା ରାସ୍ତା ଉପରେ ଓ କଡରେ ଦୀର୍ଘ ସମୟ ଧରି ଟ୍ରକ ଛିଡା ହୋଇ ରହୁଥିବାରୁ ଦୁର୍ଘଟଣା ଘଟୁଛି ବୋଲି ଅଭିଯୋଗ ହେଉଛି ା ଏଣୁ ଏନେଇ ପ୍ରତିବାଦ ପରେ ପ୍ରଶାସନ ରାସ୍ତା କଡରେ ନୋ ପାର୍କିଂ ବୋର୍ଡ ମାରି ଚୁପ ହୋଇ ବସିଛି ା ଫଳରେ ନୋ ପାର୍କିଂ ବୋର୍ଡ ଥିଲେ ହେଁ ବହୁ ସଂଖ୍ୟାରେ ଟ୍ରକ ଛିଡା ହୋଇ ରହୁଛି। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।