ନାଶିକ,୧୮।୫- ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ନୌକା ଚାଳକ ଦତ୍ତୁ ଭୋକାନାଲଙ୍କ ବିରୋଧରେ ନାଶିକର ଜଣେ ମହିଳା କନଷ୍ଟେବଳ ଠକାମି ଓ ଉତ୍ପୀଡନା ମାମଲା ଦାଏର କରିଛନ୍ତି। ଉକ୍ତ କନଷ୍ଟେବଳ ଦାବି କରିଛନ୍ତି ଯେ ଦତ୍ତୁ ଦୁଇ ବର୍ଷ ପୂର୍ବେ ତାଙ୍କୁ ଲୁଚି ବିବାହ କରିଥିଲେ। କିନ୍ତୁ ଏବେ ଦତ୍ତୁ ପାରମ୍ପରିକ ବିବାହ କରିବାକୁ ଅସ୍ବୀକାର କରୁଛନ୍ତି। ଏହାକୁ ଭିତ୍ତିକରି ଆଡ୍ଗାନ ପୋଲିସ ଷ୍ଟେଶନ ତଦନ୍ତ ଆରମ୍ଭ କରିଛି। ଭୋକନାଲଙ୍କୁ ଡକାଯାଇ ପଚାରାଉଚରା କରାଯିବ। କିନ୍ତୁ ନୌକା ଚାଳକଙ୍କ ଓକିଲ ଚାରଭାକ କାମ୍ବଲେ ସମସ୍ତ ଆରୋପକୁ ଭିତ୍ତିହୀନ କହିବା ସହ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। କୂଅ ଖୋଳାଳିଙ୍କ ପୁତ୍ର ଭୋକନାଲ ୨୦୧୨ରେ ନୌକା ଚାଳନା ଆରମ୍ଭ କରିଥିଲେ। ସେ ୨୦୧୬ ରିଓ ଅଲିମ୍ପିକ୍ରେ ଅଂଶଗ୍ରହଣ କରିଥିଲେ। ପୁଣେସ୍ଥିତ ମିଲିଟାରି ଇଞ୍ଜିନିୟରିଂ କଲେଜରେ ସେ ଏବେ ରୋଇଂ ଅଭ୍ୟାସ କରୁଛନ୍ତି।