ନୌବାଦ୍ୟରେ ଦେଶକୁ ସଲାମ

ଭୁବନେଶ୍ୱର, ୮ା୧୨(ବ୍ୟୁରୋ)

ନୌସେନା ଦିବସ ପାଳନ ଅବସରରେ ଶନିବାର ନୌସେନା ପ୍ରଭାରୀ (ଓଡ଼ିଶା) ଓ ଭାରତୀୟ ନୌସେନା ଆଇଏନ୍‌ଏସ୍‌ ଚିଲିକା ପକ୍ଷରୁ ଉତ୍କଳ ମଣ୍ଡପଠାରେ ନୌବାଦ୍ୟ ପରିବେଷଣ କରାଯାଇଥିଲା। ନୌସେନାର ବୃନ୍ଦ ବାଦ୍ୟ ଓ ସଙ୍ଗୀତରେ ଦେଶକୁ ସଲାମ କରିଥିଲେ ନୌସେନା। ପ୍ରଥମେ ‘ଏ ଟିମ୍‌’ ଓ ପରେ ‘କଲୋନେଲ ବୋଗି’ ବାଦ୍ୟ ନିଆରା ପରିବେଶ ସୃଷ୍ଟି କରିଥିଲା। ଏହାପରେ ‘କେଶରୀ’ ଫିଲ୍ମର କଣ୍ଠଶିଳ୍ପୀ ବି. ପାରକଙ୍କ ଦେଶାତ୍ମବୋଧକ ସଙ୍ଗୀତ ‘ତେରେ ମିଟି ମେଁ ମିଲ୍‌ ଜାଓ୍ବା, ଗୁଲ ବନ୍‌କେ ମେଁ ଖିଲ୍‌ ଜଓ୍ବା’ ଉପସ୍ଥିତ ଶ୍ରୋତାଙ୍କୁ ଭାବ ବିହ୍ବଳ କରିଦେଇଥିଲା। ଗୀତ ଶୁଣିବା ସମୟରେ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଉଥିବା ଏହି ନୌସେନାଙ୍କ ପ୍ରତି ଉପସ୍ଥିତ ଶ୍ରୋତାଙ୍କ ସମ୍ମାନ ଆହୁରି ବଢ଼ି ଯାଇଥିଲା। କେତେଜଣ ଶ୍ରୋତାଙ୍କ ଲୋମ ଟାଙ୍କୁରି ଉଠିବା ସହ ଆଉ କେତେଜଣଙ୍କ ଆଖିରୁ ସ୍ବତଃ ଅଶ୍ରୁ ଝରିପଡିଥିବା ଦେଖିବାକୁ ମିଳିଥିଲା।
ଆମେରିକାର ପ୍ରସିଦ୍ଧ ଲୋକ ସଙ୍ଗୀତ ‘ହୁଟେନାନ୍ନି’ ପରିବେଷଣ କରାଯାଇଥିଲା। ବଲିଉଡ଼ର ରାଜ କପୁରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଅନେକ ହିନ୍ଦୀ ଗୀତର ବୃନ୍ଦ ବାଦ୍ୟ ଗାନ କରାଯାଇଥିଲା। ପରେ ଇଂଲିଶ ଭୋକାଲ ‘ଓ୍ବି ଆର୍‌ ଦି ଓ୍ବାର୍ଲଡ’, ‘ଟାଟୋ-୨୦୦୯’, ଦେଶାତ୍ମବୋଧକ ମେଲାଡି, ରକ୍‌ ‘ଏନ୍‌’ ମେଲୋଡ଼ି ଶୁଣିଥିଲେ ଲୋକେ। ତିନି ସେନାର ମାର୍ଚିଂ ମେଲୋଡ଼ି ତଥା ଭାରତୀୟ ସଶସ୍ତ୍ରବଳର ହସ୍ତାକ୍ଷର ଧ୍ୱନୀ ‘ଟ୍ରାଇ-ସର୍ଭିସ ସଙ୍ଗ୍‌’ରେ ଉତ୍ସବ ସରିଥିଲା। କାର୍ଯ୍ୟକ୍ରମରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ନୌସେନା ଅଧିକାରୀ, ଓଡ଼ିଶା ତଥା ଆଇଏନ୍‌ଏସ୍‌ ଚିଲିକାର କମାଣ୍ଡିଙ୍ଗ୍‌ ଅଫିସର କମୋଡର ଋତୁରାଜ ସାହୁ ମୁଖ୍ୟଅତିଥିଙ୍କୁ ସ୍ବାଗତ କରିଥିଲେ। ଅବସରପ୍ରାପ୍ତ ସାମରିକ କର୍ମଚାରୀ, ଭାରତୀୟ ସଶସ୍ତ୍ରବଳର କାର୍ଯ୍ୟରତ ଅଧିକାରୀ ଏବଂ ଓଡ଼ିଶା ପୋଲିସ ବିଭାଗର ପଦସ୍ଥ ଅଧିକାରୀମାନେ ଯୋଗଦେଇଥିଲେ।

Share