Categories: ଜାତୀୟ

ନୌଶେରା ସେକ୍ଟରରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ଭାରତୀୟ ଯବାନ ଶହୀଦ,୧୨ରୁ ଅଧିକ ପାକିସ୍ତାନୀ ସୈନ୍ୟ ଆହତ

ଶ୍ରୀନଗର,୨୨।୬: ଜମ୍ମୁ-କଶ୍ମୀରର ନୌଶେରାସ୍ଥିତ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟରୁ ପୁଞ୍ଛ ଜିଲାର କ୍ରିଷ୍ଣାଘାଟି, ରାଜୌରୀ ଏବଂ ନୌଶେରା ସେକ୍ଟରକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ଭୋର୍‌ ୩ଟା ୩୦ ଠାରୁ ଏଭଳି ଜାରି ରହିଥିବା କୁହାଯାଉଛି। ଏଥିରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ସେ ଫରଓ୍ବାର୍ଡ ପୋଷ୍ଟରେ ମୁତୟନ ଥିଲେ। ଶହୀଦ ହୋଇଥିବା ଯବାନ ଜଣେ ନାଏବ ସୁବେଦାର ବୋଲି କୁହାଯାଉଛି। ଭାରତୀୟ ସେନା ଏହାର କଡ଼ା ଜବାବ ଦେବା ଆରମ୍ଭ କରିଛନ୍ତି। ଭାରତୀୟ ସେନାଙ୍କ ଗୁଳି ମାଡ଼ରେ ୧୨ରୁ ଅଧିକ ପାକିସ୍ତାନୀ ସୈନ୍ୟ ଆହତ ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଜୁନ୍‌ ୫ଠାରୁ ବର୍ତ୍ତମାନ ସୁଦ୍ଧା ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁ ୪ ଜଣ ଯବାନ ଶହୀଦ ହୋଇଛନ୍ତି। ଜୁନ୍‌ ୫ରେ ରାଜୌରୀ ଜିଲାର ସୁନ୍ଦରବାଣୀ ସେକ୍ଟରରେ ହାବିଲଦାର ପି. ମାଥାଇଜାହାଗନ ଶହୀଦ ହୋଇଥିବାବେଳେ ଜୁନ୍‌ ୧୦ରେ ତାରକୁଣ୍ଡିରେ ନାଏକ ଗୁରୁଚରଣ ସିଂ ଏବଂ ଜୁନ୍‌ ୧୪ରେ ସିପାହୀ ଲଙ୍ଗାମ୍ବୁଇ ଏବୋନମେଇ ପୁଞ୍ଛ ଅଞ୍ଚଳରେ ଶହୀଦ ହୋଇଥିଲେ।

Share