ନ୍ୟାଶନାଲ କଲେଜକୁ ନାକ ଟିମର ପରିଦର୍ଶନ

ନୂଆପଡ଼ା ଅଫିସ,୯ା୬:ନୂଆପଡ଼ା ଜିଲା ହେଡକ୍ୱାର୍ଟରର ଏକମାତ୍ର ବହୁ ପୁରୁଣା ନ୍ୟାଶନାଲ କଲେଜକୁ ନାକ ଟିମ (ନ୍ୟାଶନାଲ ଆସେସମ୍ୟାଣ୍ଟ ଆଣ୍ଡ ଆକ୍ରିଡେଶନ କାଉନସିଲ)ର ଏକ ୩ ଜଣିଆ ପ୍ରତିନିଧି ଦଳ ପରିଦର୍ଶନ କରିଛନ୍ତି । ଏହି ଅବସରରେ ଏହି ଟିମ୍‌ ବିଭିନ୍ନ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ି । ଏହି ଟିମ କଲେଜରେ ପହଞ୍ଚତ୍ ଦୁଇଦିନ ଧରି ବିଭିନ୍ନ ଦିଗକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରିଛନ୍ତି । ଦେବୀଲାଲ ବିଶ୍ୱବିଦ୍ୟାଳୟ ହରିୟାଣାର ପୂର୍ବତନ କୁଳପତି ପ୍ରଫେସର ରାଧେଶ୍ୟାମ ଶର୍ମାଙ୍କ ନେତୃତ୍ୱରେ ପ୍ରଫେସର ପି.କେ.ଶ୍ରୀନିବାସ (ଡିନ ବାଙ୍ଗାଲୁର), ଡ.ଚନ୍ଦ୍ରକାନ୍ତ ରାୱଲ (ବିଏମସିସି ପୁନାର ପୂର୍ବତନ ଅଧ୍ୟକ୍ଷ) ପ୍ରମୁଖ ସାମିଲ ଥିଲେ । ପରିଦର୍ଶନ ବେଳେ ମହାବିଦ୍ୟାଳୟ ପାରିପାର୍ଶ୍ୱିକ ସ୍ଥିତି, ଭିତିଭୂମି, ଗୁଣାତ୍ମକ ଶିକ୍ଷା ତଥା ଛାତ୍ରୀଛାତ୍ରମାନଙ୍କ ବୌଦ୍ଧିକ ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ନିରୀକ୍ଷଣ କରିଥିଲେ । ସୂଚନାଯୋଗ୍ୟ ଯେ, ନୂଆପଡା ଭଳି ଉପାନ୍ତ ତଥା ଶିକ୍ଷାକ୍ଷେତ୍ରରେ ଅବହେଳିତ ଜିଲାରେ ନ୍ୟାଶନାଲ କଲେଜ ଏକମାତ୍ର ଡିଗ୍ରୀ କଲେଜ । ହେଲେ ଏହା ସରକାରୀ ସହାୟତା ପାଇପାରୁନାହିଁ । ଜିଲା ହେଡକ୍ୱାର୍ଟରରେ ଏକ ସରକାରୀ ଡିଗ୍ରୀ କଲେଜ ନାହିଁ। ଅନ୍ୟପଟେ ନାକ ମାନ୍ୟତା ପାଇ ନ ଥିବାରୁ ବିଭିନ୍ନ ଅନୁଦାନରୁ ବଞ୍ଚତ୍ତ ରହିଛି । ଏଥିପାଇଁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଦେବାରେ ବିଭିନ୍ନ ପ୍ରକାର ବାଧା ଉପୁଜିଥାଏ । ଏସବୁ ସତ୍ତ୍ୱେ ଏଠାରେ ସମସ୍ତଙ୍କ କଠିନ ପରିଶ୍ରମରୁ ଏକ ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ ଢଙ୍ଗରେ ଉଚ୍ଚଶିକ୍ଷା ପ୍ରଦାନ କରାଯାଉଥିବାରୁ ନାକ ଟିମ ଖୁସି ପ୍ରକଟ କରିଥିଲେ । ପ୍ରକାଶ ଯେ, ଆଗରୁ ନାକ ମାନ୍ୟତା ପାଇଁ ପ୍ରଥମ ପର୍ଯ୍ୟାୟ ଦକ୍ଷତା ହାସଲ କରିସାରିଛି । ଏଥର ମଧ୍ୟ କ୍ୱାଲିଫାଏ କରିବା ଆଶା ନିଶ୍ଚିତ ରହିଥିବା ସମସ୍ତ ଅଭିଭାବକ, ଛାତ୍ରୀଛାତ୍ର ଏବଂ କର୍ମଚାରୀ ବ୍ୟକ୍ତ କରିଛନ୍ତି । ପରିଦର୍ଶନ ସମୟରେ କଲେଜ ଡ.ଅଶୋକ କୁମାର ପଟ୍ଟନାୟକ, ନାକ ସଂଯୋଜକ ସମରେନ୍ଦ୍ର ନାରାୟଣ ଦାସ, ଆଇକ୍ୟୁଏସି ସଂଯୋଜକ କିଶୋର କୁମାର ବାରିକ, ଟିଟିଲାଗଡ କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ଶିବପ୍ରସାଦ ବେହେରା, ସ୍ଥାନୀୟ ବିଧାୟକ ତଥା କଲେଜର ପରିଚାଳନା କମିଟି ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ପ୍ରମୁଖ ଉପସ୍ଥିତ ଥିଲେ ।