ନ୍ୟାୟ ଦେଲାନି ନିଆଳି ଥାନା ପୋଲିସ: ନବୀନ ନିବାସ ଆଗରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର, ୨୨।୯(ବ୍ୟୁରୋ): ନ୍ୟାୟ ଦେଲା ନାହିଁ ପୋଲିସ। ନିଆଳି ଥାନାକୁ ବାରମ୍ବାର ଦୌଡି ନିରାଶ ହେବାପରେ ଶେଷରେ ଯୁବକ ଜଣକ ଶନିବାର ସକାଳେ ନବୀନ ନିବାସ ସମ୍ମୁଖରେ ପହଞ୍ଚତ୍ଥିଲେ। ସେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରୁଥିବାବେଳେ ପୋଲିସ ତାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ଘଟଣା ସମ୍ପର୍କରେ ପଚାରି ବୁଝିବା ପରେ ବୁଝାଶୁଝା କରି ଛାଡ଼ିଥିଲା।

ଯୁବକ ଜଣକ ହେଲେ ନିଆଳି ଥାନା ପହଙ୍ଗା ଗ୍ରାମର ରଘୁନାଥ ଓଝା। ନିଆଳି ଥାନା ଅନ୍ତର୍ଗତ ପହଙ୍ଗା ଗ୍ରାମରେ ରଘୁନାଥ ପରିବାର ସହ ରୁହନ୍ତି। ଗତ ୧ ତାରିଖରେ ଗ୍ରାମର କେତେଜଣ ବ୍ୟକ୍ତି ତାଙ୍କୁ ମରଣାନ୍ତକ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିଲେ। ଏନେଇ ସେ ନିଆଳି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତାଙ୍କୁ ନିଆଳି ମେଡିକାଲ ଓ ପରେ କଟକ ବଡ଼ମେଡିକାଲ ନେଇ ଚିକିତ୍ସା କରି ଛାଡ଼ିଥିଲା। ହେଲେ ଅକ୍ରମଣକାରୀଙ୍କ ଉପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ରଘୁନାଥ ଅଭିଯୋଗ କରିଛନ୍ତି। ଏନେଇ ସେ ନିଆଳି ଥାନା, ଏସ୍‌ଡିପିଓ ଅଡ଼ସପୁର, କଟକ ଗ୍ରାମାଞ୍ଚଳ ଏସ୍‌ପି ଓ ପୋଲିସ ଡିଜିଙ୍କୁ ଭେଟି ଅଭିଯୋଗ କରିଥିଲେ ମଧ୍ୟ କିଛି ବି ସୁଫଳ ମିଳି ନ ଥିଲା। ଫଳରେ ଅଭିଯୁକ୍ତମାନେ ତାଙ୍କ ସହ ପରିବାର ଲୋକଙ୍କୁ ହତ୍ୟା ଧମକ ଦେଉଛନ୍ତି। ତେଣୁ ସେ ବାଧ୍ୟ ହୋଇ ନ୍ୟାୟ ପାଇଁ ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ରଘୁନାଥ କହିଛନ୍ତି। ତେବେ ଘଟଣା ସଂକ୍ରାନ୍ତରେ ଥାନାଧିକାରୀଙ୍କ ମତାମତ ମିଳିପାରିନି।

Share