ନ୍ୟାୟ ନ ପାଇ ମହିଳା ନିରାଶ :ଜିଲାପାଳଙ୍କ ଗାଡ଼ି ଆଗରେ ଆତ୍ମହତ୍ୟା ଉଦ୍ୟମ

ଭଞ୍ଜନଗର,୨୨।୧୦(ଡି.ଏନ.ଏ)-ଭଞ୍ଜନଗର ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ଅଭିଯୋଗ ଶୁଣିଥିଲେ। ୩୫୪ଟି ଅଭିଯୋଗ ଆସିଥିଲା। ରେଡ଼କ୍ରସ ଫଣ୍ଡରୁ ୨ଜଣଙ୍କୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। ଜିଲାପାଳ ଅଭିଯୋଗ ଶୁଣାଣି ସାରି ମେଡ଼ିକାଲ ପରିଦର୍ଶନ ପାଇଁ ବାହାରିଥିବାବେଳେ ବାଲିପଦର ଫାଣ୍ଡି ରାମଗଡ଼ର ସୁମତି ନାୟକ ତାଙ୍କ ଗାଡ଼ି ଆଗକୁ ହଠାତ୍‌ ଚାଲିଆସି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଉପସ୍ଥିତ ପୋଲିସ ସୁମତିଙ୍କୁ କାବୁ କରି ନେଇଥିଲେ। ଏହାପରେ ଜିଲାପାଳ ଚାଲିଯାଇଥିଲେ। ସୁମତି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଯେ, ଏକ ଘରୋଇ ଜୀବନ ବୀମା କମ୍ପାନୀର ମହିଳା ଏଜେଣ୍ଟ ତାଙ୍କଠାରୁ ଟଙ୍କା ଠକି ନେଇଛନ୍ତି। ମୋତେ ନ୍ୟାୟ ମିଳୁନାହିଁ। ତେଣୁ ଆଜି ନିରାଶ ହୋଇ ଜିଲାପାଳଙ୍କ ଗାଡ଼ି ଆଗରେ ଆତ୍ମହତ୍ୟା କରିବାକୁ ଯାଉଥିଲି।
ସୂଚନାଯୋଗ୍ୟ ଯେ, ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ଜିଲାପାଳଙ୍କୁ ଅଭିଯୋଗ ଶୁଣାଣିରେ ଭେଟି ଦାବିପତ୍ର ଦେଇଥିଲେ। ଏନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ କହିଥିଲେ।
ସେହିପରି ଭଞ୍ଜନଗର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏକ ଦାବିପତ୍ର ସଭାପତି ସୋମନାଥ ନାୟକଙ୍କ ନେତୃତ୍ୱରେ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଗୋଲାପଡ଼ା ପଞ୍ଚାୟତର ଚାଷୀ ଫସଲବୀମା ପାଉ ନ ଥିବାରୁ ଆଇନଜୀବୀ ପ୍ରମୋଦ ପ୍ରଧାନଙ୍କ ନେତୃତ୍ୱରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଭିଯୋଗ ଶୁଣାଣିରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ, ଉପ ଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ଜଳସମ୍ପଦ ବିଭାଗ ନିର୍ବାହୀଯନ୍ତ୍ରୀ ନିହାର ରଞ୍ଜନ ସାମନ୍ତରାୟ, ମେଡ଼ିକାଲ ଅଧୀକ୍ଷକ ଡ. ପ୍ରଫୁଲ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।

Share