ନ୍ୟାୟ ପାଇଁ ଏସ୍‌ପି, ଜିଲାପାଳଙ୍କ ଦ୍ୱାରସ୍ଥ

ଭଦ୍ରକ ଅଫିସ, ୪ା୯- ଆକ୍ରମଣର ଶିକାର ହୋଇଥିବା ବାସୁଦେବପୁର ଦିନ୍ଦାଚାନ୍ଦି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷୟିତ୍ରୀ କାମିନୀ ଦାସ ନ୍ୟାୟ ପାଇଁ ବୁଧବାର ଜିଲାପାଳ ଓ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରାଯିବା ସହ ତାଙ୍କ ସୁରକ୍ଷା ପାଇଁ ଦାବି କରିଛନ୍ତି।
ଶିକ୍ଷୟିତ୍ରୀ ଦାସ ଅଭିଯୋଗ କରିଛନ୍ତି ଯେ, ଗତ ଶୁକ୍ରବାର ଶ୍ରେଣୀଗୃହରେ ପଢ଼ାଉଥିବା ବେଳେ ଏକ ଦମ୍ପତି ସ୍କୁଲ ଭିତରେ ପଶି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ନେଇ ସେ କଷିଆ ମେରାଇନ୍‌ ଥାନାରେ ଅଭିଯୋଗ କରିବା ପରେ ମାମଲା (ନଂ. ୪୦/୧୯ ) ରୁଜୁ ହୋଇଛି। କିନ୍ତୁ ୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କାହାରିକୁ ଗିରଫ କରିନାହିଁ। ଫଳରେ ସେ ଶିକ୍ଷକ ସଂଘ ସହାୟତାରେ ଜିଲାପାଳ ଓ ଏସ୍‌ପିଙ୍କ ନିକଟକୁ ନ୍ୟାୟ ପାଇଁ ଆସିଛନ୍ତି ବୋଲି ଦର୍ଶାଇଥିଲେ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସ୍‌ପି ରାଜେଶ ପଣ୍ଡିତ ତାଙ୍କୁ ଆଶ୍ୱାସନା ଦେଇଥିଲେ। ଜିଲା ଶିକ୍ଷାସହାୟକ ସଂଘର ସଭାପତି ପ୍ରଶାନ୍ତ କୁମାର ଦାସ, ବାସୁଦେବପୁର ବ୍ଲକ ଶିକ୍ଷାସହାୟକ ସଂଘର ଶତାଧିକ ପ୍ରତିନିଧି, ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ସଙ୍ଗଠନ ସମ୍ପାଦକ ହାଜି ତବରେଜ ଖାନ୍‌, ଜିଲା ସଂଘର ନେତା ସେକ୍‌ ଅବୁଦଲ ଜାବିର, ଶିକ୍ଷକନେତା ଅଶୋକ କୁମାର ନାୟକ, ପୀତାମ୍ବର ଦାସ, ଚନ୍ଦ୍ରଶେଖର ପାଣିଗ୍ରାହୀ, ପ୍ରଶାନ୍ତ ଧଳ ଓ ଅରୂପ କୁମାର ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।