ନ୍ୟାୟ ପାଇଁ ଧାରଣା ଘଟଣା: ଆକ୍ରମଣକାରୀ ଗିରଫ

ତିହିଡ଼ି,୨।୩(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ବୁଧପୁର ଗ୍ରାମର ସନ୍ତୋଷ କୁମାର ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ରବିବାର ଆକ୍ରମଣ କରାଯାଇଥିଲା। ପୋଲିସଠାରୁ ନ୍ୟାୟ ନ ପାଇ ସନ୍ତୋଷ ତାଙ୍କ ପରିବାର ସହିତ ରବିବାର ସନ୍ଧ୍ୟାରେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ପରେ ଆକ୍ରମଣ ଘଟଣା ନେଇ ତିହିଡ଼ି ପୋଲିସ ଏକ ମାମଲା(ନଂ.୬୭/୨୦) ରୁଜୁ କରିଥିଲା। ବୁଧପୁର ଗ୍ରାମର ବାବୁଲା ଜେନାଙ୍କୁ ସୋମବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅପରପକ୍ଷେ ବାବୁଲାଙ୍କ ମା’ ସବିତା ଜେନାଙ୍କ ଅଭିଯୋଗକ୍ରମେ ଥାନାରେ ଅନ୍ୟ ଏକ ମାମଲା(ନଂ.୬୮/୨୦) ରୁଜୁ ହୋଇଛି। ଉଲ୍ଲେଖନୀୟ ଯେ, ସନ୍ତୋଷଙ୍କ ନଡ଼ିଆ ଗଛକୁ ଜାଳିଦେବା ଘଟଣାକୁ ନେଇ ବାବୁଲାଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ପରେ ବାବୁଲା ଓ ଅନ୍ୟମାନେ ସନ୍ତୋଷଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଆହତ ସନ୍ତୋଷ ତିହିଡ଼ି ଥାନା ଦ୍ୱାରସ୍ଥ ହୋଇଥିଲେ।