ନ୍ୟାୟ ପାଇଁ ପୀଡ଼ିତା ହାଇକୋର୍ଟଙ୍କ ଦ୍ୱାରସ୍ଥ

ଭୁବନେଶ୍ୱର,୨୯।୨ (ବ୍ୟୁରୋ): ଜଣେ ଶିକ୍ଷକଙ୍କୁ କେତେକ ଲୋକ ଲଣ୍ଡା କରିବା ସହ ତାଙ୍କ ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ଉଲଗ୍ନ କରି ବୁଲାଇଲେ। ଏପରି କି ଏହାର ଭିଡିଓ ମୋବାଇଲ୍‌ରେ ରେକର୍ଡିଂ କରି ଭାଇରାଲ କଲେ। ଏ ନେଇ ଶିକ୍ଷୟିତ୍ରୀ ଜଣକ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୋହଳ ଦଫା ଲଗାଇ ଚୁପ୍‌ ବସିଛି। ଗଣମାଧ୍ୟମରେ ଖବର ପ୍ରକାଶ ପରେ ଚାପ ପଡ଼ିବାରୁ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କୁ ଗିରଫ ତ ଦୂରର କଥା ଏପର୍ଯ୍ୟନ୍ତ ପୋଲିସ ଚିହ୍ନଟ କରିପାରିଲା ନାହିଁ। ଏହି ଘଟଣାକୁ ୯ ମାସ ବିତିଯାଇଥିଲେ ସୁଦ୍ଧା ପୀଡ଼ିତା ନ୍ୟାୟ ପାଇପାରି ନାହାନ୍ତି। ଡିସିପି, ପୋଲିସ କମିଶନର ଏବଂ ଡିଜିପିଙ୍କୁ ଭେଟି ଅଭିଯୋଗ ଜଣାଇ ନିରାଶ ହେବା ପରେ ଶେଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ଗୁହାରି ଜଣାଇଛନ୍ତି।
ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଶିକ୍ଷୟିତ୍ରୀ ଓ ତାଙ୍କ ସ୍ବାମୀ ନିଜ ବସ୍ତିରେ କୋଚିଂ ସେଣ୍ଟର ଖୋଲି ପିଲାଙ୍କୁ ପାଠ ପଢାଉଥିଲେ। ଜଣେ ବ୍ୟକ୍ତି ତାଙ୍କର ଦୁଇ ପିଲାଙ୍କୁ ସେଠାକୁ ପଠାଉଥିଲେ। ତାଙ୍କର ଟିଉ୍‌ସନ୍‌ ଫିସ୍‌ ୭ହଜାର ଟଙ୍କା ବାକି ଥିଲା। ଶିକ୍ଷକ ଜଣଙ୍କ ଟଙ୍କା ମାଗିଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଦେଇ ନ ଥିଲେ। ୨୦୧୯ ମେ ୨୮ ତାରିଖରେ ୧୦ ଜଣଙ୍କ ସହ ସମ୍ପୃକ୍ତ ବ୍ୟକ୍ତି ସେଠାକୁ ଆସିଥିଲେ। ସମ୍ପୃକ୍ତ ବ୍ୟକ୍ତି ଆଲୋଚନା କରିବା ପାଇଁ କହି ଶିକ୍ଷକ ଜଣଙ୍କୁ ନିଜ ଘରକୁ ଡାକି ନେଇଥିଲେ। ତାଙ୍କ ଝିଅକୁ ଅସଦାଚରଣ କରିଥିବା ମିଛ ଅଭିଯୋଗ ଲଗାଇ ମାଡ ମାରିଲେ। ସାହି ମଝିରେ ତାଙ୍କୁ ଲଣ୍ଡା କରିଥିଲେ। ଏହାକୁ ଶିକ୍ଷୟିତ୍ରୀ ସ୍ତ୍ରୀ ବିରୋଧ କରିଥିଲେ। ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ଉଲଗ୍ନ କରି ବୁଲାଇଥିଲେ। ଖବର ପାଇ ମଞ୍ଚେଶ୍ୱର ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ତେବେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପୋଲିସ ଅସଦାଚରଣ ମାମଲାରେ ଶିକ୍ଷୟିତ୍ରୀଙ୍କ ସ୍ବାମୀକୁ ଗିରଫ କରିଥିଲା। ଏ ନେଇ ମଞ୍ଚେଶ୍ୱର ଥାନା ଅଧିକାରୀ ଜୀତେନ୍ଦ୍ରନାଥ ସେଠୀ କହିଛନ୍ତି, ପ୍ରଥମେ ମହିଳା ଯେଉଁ ଅଭିଯୋଗ କଲେ ସେହି ଆଧାରରେ ମାମଲା ରୁଜୁ କରାଯାଇ ଜଣଙ୍କୁ ଗିରଫ କରାଯାଇଥିଲା। ହେଲେ ପରେ ସେମାନେ ଭାବି ଭାବି ଏଭଳି ଭିଡିଓ ଭାଇରାଲ କରି ଅଭିଯୋଗ କଲେ ପୁଣି ମାମଲା ହେବ କି। ଉକ୍ତ ଭିଡିଓକୁ ଆମେ ଯାଞ୍ଚ କରିଥିଲୁ, ସେଥିରେ ନଗ୍ନତା ଦେଖିବାକୁ ମିଳି ନ ଥିଲା।

Share